ମୁଖ୍ୟ ଖବର

ସଭାପତି ଡାକିଥିଲେ, ଆଲୋଚନା କଲି; ଘରକୁ ଯାଉଛି : ଜଗନ୍ନାଥ

Spread the love

ଭୁବନେଶ୍ୱର,: ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଫିସରେ ଜଣେ ଓଏଏସ୍‌ ଅଧିକାରୀ ତଥା ନିଗମର ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ବଡ଼ ଖବର ସାମ୍ନାକୁ ଆସିଛି। ବୁଧବାର ଅଭିଯୁକ୍ତ ତଥା ବିଏମ୍‌ସି କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ସେ ସରେଣ୍ଡର କରିପାରନ୍ତି ନଚେତ ଦଳରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଥିଲା। ହେଲେ ରାତି ସୁଦ୍ଧା ସେଭଳି କିଛି ହେବା ଭଳି ମନେ ହେଉନାହିଁ। କହିବାକୁ ଗଲେ ସବୁକିଛିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।ଜଗନ୍ନାଥ ସଂନ୍ଧ୍ୟାରେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଘଣ୍ଟାଏ ଧରି ବୈଠକ ଚାଲିଥିଲା। ଏହି ବୈଠକ ପରେ କାର୍ଯାଳୟ ବାହାରେ ପ୍ରତିକ୍ରିୟା ରଖି ସେ କେବଳ ଦୁଇ ଧାଡ଼ି କହି ଏଡ଼ାଇ ଯାଇଛନ୍ତି। ସଭାପତି ମୋତେ ଡାକିଥିଲେ, ଆବଶ୍ୟକୀୟ ଆଲୋଚନା ପରେ ମୁଁ ଏବେ ଘରକୁ ଯାଉଛି ବୋଲି ସେ କହି ଗାଡ଼ିରେ ବସି ଚାଲିଯାଇଥିଲେ। ଏହାକୁ ନେଇ ରାଜନୀତି ସରଗରମ ହୋଇଛି।ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଅଭିଯୋଗ ହେଉଛି ଯେ, ସେ ଓ ତାଙ୍କ ସହଯୋଗୀମାନେ ବିଏମସି ଅଫିସରେ ଜନଶୁଣାଣି ସମୟରେ ରତ୍ନାକର ସାହୁଙ୍କ ଚାମ୍ବରରେ ପଶି ତାଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ରତ୍ନାକର ସାହୁ ଅସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖାରବେଳ ନଗର ଥାନା ପୁଲିସ ଏହି ମାମଲାରେ ଜଗନ୍ନାଥ ପ୍ରଧାନଙ୍କ ସମେତ ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଛି।ଏହି ଘଟଣା ରାଜଧାନୀ ଭୁବନେଶ୍ୱରରେ ରାଜନୈତିକ ଓ ପ୍ରଶାସନିକ ମହଲରେ ତୀବ୍ର ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି ଏବଂ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଜଗନ୍ନାଥ ପ୍ରଧାନଙ୍କ ଭବିଷ୍ୟତ ରାଜନୈତିକ ପଦକ୍ଷେପ ଏବଂ ଭାଜପାର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!