ଜୀବନଚର୍ଯ୍ୟା

ସୁପର ଆର୍ଥ’ ଆବିଷ୍କୃତ: ପୃଥିବୀ ଅପେକ୍ଷା ୨ ଗୁଣା ଚଉଡ଼ା, ୪ ଗୁଣ ଓଜନିଆ

Spread the love

ଓ୍ବାଶିଂଟନ, : ଆମେରିକୀୟ ମହାକାଶ ସଂସ୍ଥା (ନାସା) ପକ୍ଷରୁ ୧୫୪ ଆଲୋକବର୍ଷ ଦୂରରେ ଏକ ରହସ୍ୟମୟ ବିଶାଳ ଗ୍ରହ ‘ସୁପର ଆର୍ଥ’କୁ ଆବିଷ୍କାର କରାଯାଇଛି। ଏହି ଗ୍ରହଠାରୁ ବାରମ୍ବାର ରହସ୍ୟମୟ ସଙ୍କେତ ଆସୁଥିବା ନାସା କହିଛି। ଏହି ବିଶାଳ ଗ୍ରହର ନାମ ‘ଟିଓଆଇ-୧୮୪୬ ବି’ ରଖାଯାଇଥିବା ବେଳେ ଏହା ପୃଥିବୀ ଅପେକ୍ଷା ପ୍ରାୟ ୨ ଗୁଣା ଚଉଡ଼ା ଏବଂ ପ୍ରାୟ ୪ ଗୁଣ ଓଜନିଆ। ବୈଜ୍ଞାନିକମାନେ ଏହି ଗ୍ରହକୁ ନର୍ଦେନ ସ୍କାଏର ଲିରା ନକ୍ଷତ୍ରମଣ୍ଡଳରେ ଆବିଷ୍କାର କରିଛନ୍ତି।ଏହି ସୁପର ଆର୍ଥର ପତଳା ବାୟୁମଣ୍ଡଳ ତଳେ ଘନ ବରଫର ଏକ ସ୍ତର ଥାଇପାରେ କିମ୍ବା ହୁଏତ ଅଳ୍ପ ଗଭୀର ସମୁଦ୍ର ଥାଇପାରେ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ଏହି ‘ସୁପର ଆର୍ଥ’ର ପୃଷ୍ଠ ତାପମାତ୍ରା ୩୦୦ ଡିଗ୍ରୀ ସେଲ୍‌ସିୟସ (ପ୍ରାୟ ୬୦୦ ଡିଗ୍ରୀ ଫାରେନହାଇଟ) ଥିବା ଜଣାପଡ଼ିଛି। ଏହାସତ୍ତ୍ୱେ ମଧ୍ୟ ସେଠାରେ ଜଳର ଉପସ୍ଥିତି ନେଇ ସମ୍ଭାବନା ରହିଥିବା ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। ଏହି ଗ୍ରହର ଗୋଟିଏ ପାର୍ଶ୍ୱ ସର୍ବଦା ତାରା ଆଡ଼କୁ ମୁହଁ କରି ରହୁଥିବା ବେଳେ ଅନ୍ୟ ପାର୍ଶ୍ୱଟି ଅନ୍ଧାରରେ ରହିଥାଏ। ତେଣୁ ଜଳ ହୁଏତ ଗ୍ରହର ଶୀତଳ ଏବଂ ଅନ୍ଧାର ପାର୍ଶ୍ୱରେ ଲୁଚି ରହିଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି। ତେବେ ଏହାର ବାୟୁମଣ୍ଡଳରେ ତାପ କିପରି ପ୍ରବାହିତ ହେଉଛି, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଉପରେ ଜଳର ଉପସ୍ଥିତି ନିର୍ଭର କରୁଛି। ତେବେ ତାପମାତ୍ରା ଅତ୍ୟଧିକ ଥିବାରୁ ଏହି ଗ୍ରହରେ ଜୀବନଯାପନ ଅସମ୍ଭବ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ‘ଟିଓଆଇ-୧୮୪୬ ବି’ ଗ୍ରହର ଆବିଷ୍କାରକୁ ନିଶ୍ଚିତ କରି ମରକ୍କୋସ୍ଥିତ ଓକାଇମେଡେନ୍‌ ଅବ୍‌ଜରଭେଟୋରିରେ କାର୍ଯ୍ୟରତ ବରିଷ୍ଠ ବୈଜ୍ଞାନିକ ଆବ୍‌ଦେରାହମାନ୍‌ ସୌବକିଉ କହିଛନ୍ତି, ନାସାର ଟ୍ରାନ୍‌ଜିଟିଂ ଏକ୍ସୋପ୍ଲାନେଟ ସର୍ଭେ ସାଟେଲାଇଟ (ଟିଇଏସ୍‌ଏସ୍‌), ମଲ୍ଟି କଲର ଗ୍ରାଉଣ୍ଡ ବେସ୍‌ଡ ଫଟୋମେଟିକ୍‌ ଡେଟା, ହାଇ ରିଜୋଲ୍ୟୁସନ ଇମେଜିଂ, ସ୍ପେକ୍ଟ୍ରୋସ୍କୋପିକ୍‌ ଅବଜରଭେସନ୍ସ ଆଦିର ବ୍ୟବହାରରେ ଏହି ସୁପର ଆର୍ଥର ଆବିଷ୍କାର କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!