କନ୍ଧମାଳରେ ଲଜ୍ଜା: ପୁଣି ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ
ତୁମୁଡିବନ୍ଧ/ବାଲିଗୁଡ଼ା,: ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ। ମାସିକ ସାନିଟାରୀ ପ୍ୟାଡ୍ ନ ନେବାରୁ ସନ୍ଦେହକୁ ଆସି ଡାକ୍ତରୀ ମାଇନା ପରେ ମାମଲା ରୁଜୁ କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। କନ୍ଧମାଳ ଜିଲାର ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ ବେଲଘର ପଞ୍ଚାୟତର ରାଙ୍ଗା ପାରୁସ୍ଥିତ ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି।ସୂଚନା ମୁତାବକ, ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ଆଦିବାସୀ ଛାତ୍ରୀ ଗ୍ରୀଷ୍ମ ଅବକାଶ ପରେ ଗତ ଜୁନ ମାସ ୨୫ ତାରିଖରେ ବିଦ୍ୟାଳୟକୁ ପଢିବା ପାଇଁ ଆସିଥିଲେ। କିଛିଦିନ ଦିନ ରହିବା ପରେ ଦେହ ଅସୁସ୍ଥ ଥିବା ଭଳି ରହିବା ଓ ତାଙ୍କ ଶ୍ରେଣୀର ସମସ୍ତ ଛାତ୍ରୀମାନେ ମାସିକ ସାନିଟାରୀ ପ୍ୟାଡ୍ ନେଇଥିବା ବେଳେ ସେ ନ ନେବା ଘଟଣା ସନ୍ଦେହକୁ ଆସିବା ପରେ ଗତ ଶୁକ୍ରବାର ମେଟ୍ରୋନ୍ ଓ ଏଏନ୍ଏମ୍ ଜାଣିପାରି ସଙ୍ଗେ ସଙ୍ଗେ ଉକ୍ତ ବିଷୟରେ ପ୍ରଧାନଶିକ୍ଷକଙ୍କୁ ଜଣାଇବା ଏବଂ ପ୍ରଧାନଶିକ୍ଷକ ମଧ୍ୟ ତୁରନ୍ତ ପରିବାରକୁ ଖବର ଦେବା ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିବାର ମିଶି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଗର୍ଭ ପରୀକ୍ଷା କରିବା ପରେ ଛାତ୍ରୀଜଣଙ୍କ ଗର୍ଭବତୀ ଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାକୁ ନେଇ ଉକ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷ ତୁମୁଡିବନ୍ଧ ଥାନାରେ ଲିଖିତ ଅଭିଯୋଗ ଶନିବାର କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ତୁମୁଡିବନ୍ଧ ଥାନାରେ ୮୫/୨୫ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା କହିଛନ୍ତି।ତେବେ ଗ୍ରୀଷ୍ମ ଅବକାଶରେ ଛାତ୍ରୀଜଣଙ୍କ ନିଜ ଗାଁକୁ ଯାଇଥିବା ବେଳେ ପ୍ରେମସମ୍ପର୍କରେ ଆସି କୌଣସି ଏକ ପ୍ରେମିକ ଦ୍ୱାରା ଗର୍ଭବତୀ ଥିବା ଛାତ୍ରୀ ସ୍ବୀକାର କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି l ପିଡ଼ିତାର ବୟାନକୁ ଆଧାର କରି ତଦନ୍ତ ଜାରି ରହିଛି। ଏହି ବାବଦରେ ପ୍ରଧାନଶିକ୍ଷକ ଲିଙ୍ଗରାଜ ସାହୁଙ୍କୁ ପଚାରିବାରୁ ସେ ଛାତ୍ରୀଜଣଙ୍କ ଗ୍ରୀଷ୍ମ ଅବକାଶ ପରେଘରୁ ବିଦ୍ୟାଳୟକୁ ଆସିଥିଲେ। ମାସର ଶେଷରେ ମାସିକ ସାନିଟାରୀ ପ୍ୟାଡ୍ ନ ନେବାରୁ ସନ୍ଦେହ ଘେରକୁ ଆସିଥିଲେ l ତାପରେ ଦାୟିତ୍ୱରେ ଥିବା ମେଟ୍ରୋନ ଏଏନ୍ଏମ୍ଙ୍କ ରିପୋର୍ଟ ମୁତାବକ ଉପର ଅଧିକାରୀ ଜଣାଇବା ଓ ତାଙ୍କ ନିର୍ଦ୍ଦେଶ ପ୍ରକାରେ ଛାତ୍ରୀଙ୍କ ପିତାମାତାଙ୍କ ଉପସ୍ଥତିରେ ଡାକ୍ତରୀ ମାଇନା ପରେ ଥାନାରେ ଏତଲା ଦିଆଯାଇଛି ବୋଲି କହିଛନ୍ତି।
