ଅପରାଧ

ଗୁମର ଖୋଲିବ ରୁପା ମୁଦି: ବଳଙ୍ଗାରେ କ୍ରାଇମବ୍ରାଞ୍ଚ ଟିମ୍‌

Spread the love

ବଳଙ୍ଗା,: ବଳଙ୍ଗାରେ ୧୫ ବର୍ଷର ଝିଅଙ୍କୁ ତିନି ଜଣ ଦୁର୍ବୃତ୍ତ କିରୋସିନ ଢାଳି ନିଆଁ ଲଗାଇବା ଘଟଣାରେ ପୋଲିସ ହାତ ଏପର୍ଯ୍ୟନ୍ତ ଖାଲି ରହିଛି। ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ କୌଣସି ବ୍ୟକ୍ତିଙ୍କୁ ଅଟକ କିମ୍ବା ଗିରଫ କରାଯାଇନାହିଁ। ଏହି ଘଟଣାର ଅଧିକ ତଦନ୍ତ ପାଇଁ ବଳଙ୍ଗାରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିଛନ୍ତି। ଏହି ଟିମ୍‌ ବଳଙ୍ଗା ଥାନାକୁ ଯାଇ ତଦନ୍ତର ଦିଗ ବୁଝିବା ସହ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କ ଘରକୁ ମଧ୍ୟ ଯାଇଛନ୍ତି।ବଳଙ୍ଗା ପୀଡ଼ିତାଙ୍କ କହିବା ଅନୁସାରେ, ୩ ଯୁବକ ନିଆଁ ଲଗାଇ ଦେଇଥିଲେ। ହେଲେ କିଏ ସେହି ତିନି ଦୁର୍ବୃତ୍ତ ଏବଂ କାହିଁକି ନିଆଁ ଲଗାଇଲେ ସେନେଇ କୌରସି ସୂଚନା ମିଳିପାରି ନାହିଁ। ପୀଡ଼ିତା ୮ ସଂପର୍କୀୟଙ୍କୁ ସ୍କାନରରେ ରଖି ପୋଲିସ ତଥ୍ୟ ଆଦାୟ କରୁଛି। ଫରେନସିକ ଟିମ ଗାଁରେ ପ୍ରମାଣ ଖୋଜୁଛି। ପୀଡ଼ିତାଙ୍କ ଘରେ ବ୍ୟବହୃତ କିରୋସିନ ବୋତଲ, ପୀଡ଼ିତାଙ୍କ ବାପାଙ୍କ ବଳଙ୍ଗାରେ ଥିବା ଗ୍ୟାରେଜ ଦୋକାନ ଚାବିକୁ ଜବତ କରି ପୋଲିସ ତଦନ୍ତ ଚଳାଇଛି। ଏହାସହ ଘଟଣାସ୍ଥଳରୁ ମିଳିଛି ଏକ ରୁପା ମୁଦି। ଏହି ମୁଦି କାହାର ଏବଂ ଘଟଣାସ୍ଥଳକୁ କେମିତି ଆସିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ମୁଦି ଜବତ କରିଛି।ଉଲ୍ଲେଖଯୋଗ୍ୟ, ଶନିବାର ଦିନ ଝିଅଟି ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଉଥିବା ସମୟରେ ଭାର୍ଗବୀ ନଦୀ ନିକଟରେ ତିନି ଜଣ ଅଜଣା ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦାମାନେ ତାଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିଲେ ଏବଂ ନିଆଁ ଲିଭାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର ପୂର୍ବରୁ ପ୍ରଥମେ ନିକଟସ୍ଥ ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ମାତ୍ର ସେ ଅଜଣା ଯୁବକ କିଏ ଥିଲେ, କାହିଁକି ନାବାଳିକାଙ୍କୁ ଆକ୍ରମଣ କଲେ, ଏନେଇ ଏପର୍ଯ୍ୟନ୍ତ କିଛି ବି ତଥ୍ୟ ହସ୍ତଗତ ହୋଇନାହିଁ ।

Leave a Reply

Your email address will not be published. Required fields are marked *

error: Content is protected !!