ମହାନଗର

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ୫ ସହଯୋଗୀ ଗିରଫ

Spread the love

ଭୁବନେଶ୍ବର: କମିସନରେଟ୍‌ ପୁଲିସ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ୫ଜଣ ସହଯୋଗୀଙ୍କୁ ଗିରଫ କରିଛି। ଲକ୍ଷ୍ମୀସାଗର ଥାନା ପୁଲିସ ଆଜି ଅମରେଶ ଜେନାଙ୍କୁ ଫେରାର କରାଇବାରେ ସହଯୋଗ କରିଥିବାରୁ ଏହି ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଗିରଫ ଅଭିଯୁକ୍ତଙ୍କ ଜାମିନ କୋର୍ଟରେ ନାମଞ୍ଜୁର ହେଲା ପରେ ଝାରପଡ଼ା ଜେଲ୍‌କୁ ପଠାଇ ଦେଇଛନ୍ତି।ଯୁବତୀ ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୨୦୨୩ ମସିହାରେ ସେ ୧୭ ବର୍ଷ ବୟସର ହୋଇଥିବା ‌ବେଳେ ଏକ ରଜ ଉତ୍ସବ କାର୍ଯ୍ୟକ୍ରମରେ ତାଙ୍କର କର୍ପୋରେଟର୍‌ ବାୟାଁଙ୍କ ସହ ସାକ୍ଷାତ ହୋଇଥିଲା। ପରସ୍ପର ପରିଚିତ ହେବା ପରେ ବାୟାଁ ତାଙ୍କୁ ଏକ ମୋବାଇଲ୍‌ ଉପହାର ଦେଇଥିଲେ। କିଛିଦିନ କଥାବାର୍ତ୍ତା ପରେ ବାୟାଁ ଭଲପାଉଥିବା କହିଥିଲେ। ବାରମ୍ବାର ପ୍ରେମ ନିବେଦନ ପରେ ନାବାଳିକା ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ। ଏହାପରେ ବାୟାଁ ତାଙ୍କୁ ପୁରୀକୁ ନେଇ ସେଠାରେ ଜଣେ ସାଙ୍ଗଙ୍କ ଘରେ ରଖି ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ବିଭିନ୍ନ ସମୟରେ ବୁଲାବୁଲି କରିବା ସହ ଉଭୟ ସମ୍ପର୍କ ରଖିଥିଲେ। ଗତ ୨୦୨୪ ମସିହା ଫେବ୍ରୁଆରି ମାସରେ ସେ ଦୁଇମାସର ଗର୍ଭବତୀ ଥିବା ଜଣାଇବା ପରେ ବାୟାଁ ଚତୁରତାର ସହ ତାଙ୍କ ଗର୍ଭ ନଷ୍ଟ କରିଥିଲେ। ସେ କହିଥିଲେ ଯେ ମୋର ପତ୍ନୀଙ୍କ ସହ ଠିକ୍‌ ଚାଲିନାହିଁ। ମୁଁ କିଛି ମାସ ମଧ୍ୟରେ ଛାଡ଼ପତ୍ର ଦେବି। ତେଣୁ ତୁମେ ଗର୍ଭ ନଷ୍ଟ କରିଦିଅ। ଛାଡ଼ପତ୍ର ପରେ ଆମେ ବିବାହ କରିବା। ଏହାପରେ ଯୁବତୀ ଗର୍ଭ ନଷ୍ଟ କରିଥିଲେ। ଗର୍ଭ ନଷ୍ଟ ପରେ ମଧ୍ୟ ଉଭୟ ପୂର୍ବ ଭଳି ବିଭିନ୍ନ ସ୍ଥାନକୁ ଯାଇ ସମ୍ପର୍କ ରଖିଥିଲେ। ତେବେ ଗତ ଏପ୍ରିଲ୍‌ ମାସରେ ବାୟାଁ ଯୁବତୀଙ୍କୁ ନିଜ କାର୍‌ରେ ନେଇ ହଠାତ୍‌ ତାଙ୍କଠାରୁ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଆଉ ଦୂରେଇ ରହିବାକୁ କହିଥିଲେ। ଉଭୟଙ୍କ ଭିତରେ ଥିବା ସମ୍ପର୍କ ଓ ଘଟଣା ବି‌ଷୟରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଯାହାକୁ ନେଇ ଆଜି ଯୁବତୀ ଜଣଙ୍କ ବାୟାଁଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି।ଅନ୍ୟପଟେ କର୍ପୋରେଟର୍‌ ଶ୍ରୀ ଜେନା କହିଛନ୍ତି ଯେ ମୋ ବିରୋଧରେ ଏହା ଏକ ଷଡ଼୍‌ଯନ୍ତ୍ର। ମୁଁ ସେ ଝିଅକୁ ଜାଣିନାହିଁ । ଏହା ମୋ ବିରୋଧରେ ଏକ ବଡ଼ ଷଡ଼୍‌ଯନ୍ତ୍ର। ଯଦି ତଦନ୍ତରେ ପୁଲିସ ମୋର ସେଭଳି କିଛି ସମ୍ପୃକ୍ତି ପାଏ, ତେବେ ମୋତେ ଗିରଫ କରୁ।

Leave a Reply

Your email address will not be published. Required fields are marked *

error: Content is protected !!