ରାଜନୀତି

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା

Spread the love

ଯାଜପୁର: ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଭୋଜିଭାତର ଆସର ଜମିଛି। ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଏବଂ ନୂତନ ବର୍ଷକୁ ସ୍ବାଗତ ବେଶ ଧୂମ୍‌ଧାମରେ କରାଯାଇଛି। ଏହା ମଧ୍ୟରେ ବଜାର ଘାଟଠାରୁ ଆରମ୍ଭ କରି ରାସ୍ତା ପାର୍ଶ୍ୱ ସାରା ବିଭିନ୍ନ ବ୍ୟାନର ପୋଷ୍ଟର ଦେଖିବାକୁ ମିଳୁଛି। ବ୍ୟାନର ପୋଷ୍ଟର ଦେଖି ନିର୍ବାଚନ କଥା ମନେ ପଡ଼ିଯାଉଛି। ଚଳିତଥର ପୂର୍ବ ବର୍ଷ ତୁଳନାରେ ଅଧିକ ବ୍ୟାନର ପୋଷ୍ଟର ଲାଗିଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି।ବିଶେଷକରି ଧର୍ମଶାଳା ନିର୍ବାଚନମଣ୍ଡଳୀର ଅଧିକାଂଶ ସ୍ଥାନରେ ଶାସକ ଦଳ ତଥା ଭାରତୀୟ ଜନତା ପାର୍ଟିର ବ୍ୟାନର ଅଧିକ ଥିବା ଦେଖିବାକୁ ମିଳୁଛି। ଏହି ବ୍ୟାନରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଫଟୋ ରହିଥିବାବେଳେ ବିଭିନ୍ନ ଅଞ୍ଚଳର କର୍ମୀ, ଓ ଗାଁ ନେତା ଏବଂ ଯୁବକମାନଙ୍କ ଫଟୋ ଥିବା ଦେଖିବାକୁ ମିଳୁଛି। ନିର୍ବାଚନ ସମୟର ଦଳୀୟ ବ୍ୟାନରକୁ ନେଇ ଯେମିତି ଓ୍ବାର୍‌ ବା ଯୁଦ୍ଧ ଚାଲେ ଠିକ୍‌ ସେମିତି ଜଣାପଡୁଛି। ବର୍ତ୍ତମାନ ବ୍ୟାନର ଓ୍ବାର ଚାଲିଛି ସତ କିନ୍ତୁ ନେତାମାନଙ୍କ ମଧ୍ୟରେ ନୁହେଁ ବରଂ କର୍ମୀମାନଙ୍କ ମଧ୍ୟରେ ଥିବା ଆଲୋଚନା ହେଉଛି । ବିଶେଷ ଭାବେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଫଟୋ ସହ ପଞ୍ଚାୟତ ସ୍ତରୀୟ ନେତାଙ୍କଠାରୁ ଆରମ୍ଭ କରି ବିଭିନ୍ନ ଠିକାଦାରମାନେ ବ୍ୟକ୍ତିଗତ ଭାବେ ଫଟୋ ରଖି ଶୁଭେଛା ଜଣାଇବା ପାଇଁ ରେସ ଦେଖିବାକୁ ମିଳୁଛି। ନିର୍ବାଚନ ପୂର୍ବରୁ ଯେଉଁମାନେ ବିରୋଧୀ ଥିଲେ ସେମାନେ ବର୍ତ୍ତମାନ ବିଧାୟକଙ୍କ ଶିବିରରେ ରହିଛନ୍ତି। ଏବଂ ବିଭିନ୍ନ ପ୍ରକାର ବ୍ୟାନର ମାଧ୍ୟମରେ ଶୁଭେଛା ମଧ୍ୟ ଜଣାଇଛନ୍ତି। ଏହି ବ୍ୟାନରକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ତର୍କ ବିତର୍କ ଆରମ୍ଭ ହୋଇଛି। ତେବେ ଆଗାମୀ ଦିନରେ କର୍ମୀଙ୍କ ଜୋସ୍‌ ଓ ପୋଷ୍ଟର ଓ୍ବାର ଘଟଣାରେ ପୋଷ୍ଟରରେ ଥିବା କର୍ମୀଙ୍କ ସ୍ଥାୟିତ୍ୱ କୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

error: Content is protected !!