ମୁମ୍ବାଇ: ଗତ କିଛିଦିନ ତଳେ ଇଂଲଣ୍ଡରେ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଥିଲା। ସୂଚନା ଅନୁଯାୟୀ, ୫୩ବର୍ଷୀୟ ସଞ୍ଜୟ କପୁର ପୋଲୋ ମ୍ୟାଚ୍ ଖେଳୁଥିବା ସମୟରେ ହଠାତ୍ ତାଙ୍କ ପାଟିରେ ଏକ ମହୁମାଛି ପଶିଯାଇଥିଲା। ଉକ୍ତ ମହୁମାଛିଟି ତାଙ୍କ ଗଳାକୁ କାମୁଡ଼ି ଦେଇଥିଲା। ଏହି କାରଣରୁ ସଞ୍ଜୟ କପୁରଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା। ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ। ସେଠାରେ ସଞ୍ଜୟଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଥିଲା। ଯଦି ଆପଣ କେବେ ଏଭଳି ପରିସ୍ଥିତିର ସାମ୍ନା କରୁଛନ୍ତି ପ୍ରଥମ କଥା ହେଲା ଭୟଭୀତ ହୁଅନ୍ତୁ ନାହିଁ। ଭୟଭୀତ ହେବା ଦ୍ଵାରା ଦ୍ରୁତ ଶ୍ୱାସକ୍ରିୟା ହୋଇପାରେ, ଯାହା ଫଳରେ କୀଟପତଙ୍ଗ ଶ୍ୱାସନଳୀ ଭିତରକୁ ଚାଲି ଯାଇପାରନ୍ତି। ଏହି ପରିସ୍ଥିତିରେ ଶ୍ୱାସରୋଧ ହେବାର ଆଶଙ୍କା ବଢ଼ିଯାଏ। ଯଦି କୀଟପତଙ୍ଗ ପାଟିରେ ଥିଲା ଭଳି ଅନୁଭବ ହେଉଛି ତେବେ ତୁରନ୍ତ ତାହାକୁ ବାହାର କରିଦିଅନ୍ତୁ। କାଶିବାକୁ ଚେଷ୍ଟା କରନ୍ତୁ ଏବଂ ଉଷୁମ ପାଣିରେ ମୁହଁ ଧୁଅନ୍ତୁ।ଏସବୁ ବ୍ୟତୀତ, ଯଦି ଆପଣ ପାଟି କିମ୍ବା ଗଳାରେ ଫୁଲା ଅନୁଭବ କରୁଛନ୍ତି, ନିଶ୍ୱାସ ନେବାରେ ଅସୁବିଧା ହୁଏ କିମ୍ବା ମୁଣ୍ଡ ଘୂରିବା ଅନୁଭବ କରନ୍ତି, ତେବେ ସମୟ ନଷ୍ଟ ନକରି ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ।
