କିଛିଦିନ ଭିତରେ ଖୋଲିବ ସାଲିଆସାହି ରାସ୍ତା
ଭୁବନେଶ୍ୱର : ଜୟଦେବବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବାକୁ ନିର୍ମାଣାଧୀନ ଏକାମ୍ରକାନନ-ଆଇଏମ୍ଏ ୨୦୦ ଫୁଟିଆ ରାସ୍ତା କାମ ତ୍ବରାନ୍ବିତ ହୋଇଛି। ସାଲିଆସାହି ଭିତର ଦେଇ ନିର୍ମାଣାଧୀନ ରାସ୍ତା କାମ ଇତିମଧ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଡ୍ରେନ୍, ସ୍ବେରେଜ୍ ଲାଇନ୍, ମେଡିଆନ୍ ପରି ବିଭିନ୍ନ କାମ ଆଗେଇଛି। ଆସନ୍ତା ଦୁଇରୁ ତିନି ସପ୍ତାହ ମଧ୍ୟରେ କାମ ଶେଷ କରି ଏପ୍ରିଲ ଶେଷ ସୁଦ୍ଧା ଜନସାଧାରଣଙ୍କ ପାଇଁ ରାସ୍ତା ଖୋଲିବାକୁ ଲକ୍ଷ୍ୟ ରଖାଯାଇଥିବା ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କରିଛନ୍ତି।ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଆଜି ସେ ସାଲିଆସାହି ନିକଟରେ ନିର୍ମାଣାଧୀନ ସମାନ୍ତରାଳ ରାସ୍ତାର ସମୀକ୍ଷା କରିଛନ୍ତି। ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରି ଆସନ୍ତା ୩୦ ତାରିଖ ସୁଦ୍ଧା ଜନସାଧାରଣଙ୍କ ପାଇଁ ଖୋଲିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସହରରେ ବଢୁଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଏହି ରାସ୍ତା ଏକ ମୁଖ୍ୟ ମାଧ୍ୟମ ସାଜିବ। ଯାତାୟାତକୁ ଅଧିକ ସହଜ ଓ ସୁଗମ ମଧ୍ୟ କରିବ। ଏହାଦ୍ୱାରା ସିଆର୍ପିଏଫ୍ ଛକ, ଉତ୍କଳ ହସ୍ପିଟାଲ, ଇନ୍ଫୋସିସ୍, କିମ୍ସ, କିଟ୍ ପରି ଅଞ୍ଚଳକୁ ଯୋଗାଯୋଗ ସହଜ ହୋଇପାରିବ। ମନ୍ତ୍ରୀଙ୍କ ଗସ୍ତ ସମୟରେ ସର୍ବୋଚ୍ଚ ଯନ୍ତ୍ରୀ (ରାସ୍ତା) ଧ୍ୟାନଚାନ୍ଦ ନାୟକ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମନୋଜ ମହାନନ୍ଦ, ଅଧୀକ୍ଷଣ ଯନ୍ତ୍ରୀ(ରାସ୍ତା ଓ ଗୃହ, ଡିଭିଜନ-୩) ନରେନ୍ଦ୍ର କୁମାର ଘଡେଇଙ୍କ ସମେତ ବିଭାଗୀୟ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
