ଭଞ୍ଜନଗର,: ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ ଯୋଡ଼ି ହେଉଥିବା ୧୫ଟି ଜିଲାର ଲୋକେ ପ୍ରଭାବିତ ହେବେ। ଏଭଳି ପରିସ୍ଥିତିରେ ପୂର୍ତ୍ତ ବିଭାଗ ସଚିବ ସଞ୍ଜୟ କୁମାର ସିଂହ ରବିବାର ଅପରାହ୍ନରେ କଳିଙ୍ଗା ଘାଟି ଅଞ୍ଚଳକୁ ଆସି ରାସ୍ତାର ସ୍ଥିତି ଅନୁଧ୍ୟାନ କରିଥିଲେ। ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସତ୍ୟ ରଞ୍ଜନ ପରିଡ଼ା ଉପସ୍ଥିତ ଥିଲେ।
ଏହି ସମୟରେ ଖବରଦାତାଙ୍କ ସହ ଆଲୋଚନା କରି ସଚିବ କହିଥିଲେ ଯେ, ଘାଟି ରାସ୍ତାର ସ୍ଥିତି ସମୀକ୍ଷା କରିବା ପାଇଁ ବାହାରୁ ବୈଷୟିକ ଟିମ ଆସିବେ। ଏହି ଟିମ୍ର ରିପୋର୍ଟକୁ ଆଧାର କରି ପରବର୍ତ୍ତୀ କାମ କରାଯିବ। ଘାଟିରେ ବାରମ୍ବାର ଭୂସ୍ଖଳନ ହେବାର କାରଣ ମଧ୍ୟ ସମୀକ୍ଷା କରାଯିବ। ଏଥିସହ ରାସ୍ତାର ଡିଜାଇନ୍ରେ କୌଣସି ତ୍ରୁଟି ରହିଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯିବ ବୋଲି ସେ କହିଥିଲେ। ଜାତୀୟ ରାଜପଥର କେତେକ ସ୍ଥାନରେ ରାସ୍ତା ଖରାପ ଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। ଏହାର ମଧ୍ୟ ସମୀକ୍ଷା କରାଯିବ ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କୁହାଯିବ ବୋଲି ସଚିବ କହିଥିଲେ।କଳିଙ୍ଗା ଘାଟି ରାସ୍ତା କେବେ ଖୋଲିବ ବୋଲି ପଚରାଯିବାରୁ ସଚିବ କହିଥିଲେ ଯେ, ବାହାରୁ ଆସିବାକୁ ଥିବା ବୈଷୟିକ ଟିମ୍ର ରିପୋର୍ଟ ମିଳିବା ପରେ ହିଁ ରାସ୍ତା କେବେ ଖୋଲିବ ତାହା ସ୍ପଷ୍ଟ ହେବ। ବର୍ତ୍ତମାନ ହୋଇଥିବା କ୍ଷୟକ୍ଷତିର ପରିମାଣ ଦେଖି ଏ ସମ୍ପର୍କରେ ତୁରନ୍ତ କିଛି କହିବା ସମ୍ଭବ ନୁହେଁ। ଲୋକଙ୍କ ସୁବିଧା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ଘାଟି ରାସ୍ତାକୁ ଯଥାସମ୍ଭବ ଶୀଘ୍ର ସ୍ବାଭାବିକ କରିବା ନେଇ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ। ବାରମ୍ବାର ଭୂସ୍ଖଳନ ଯୋଗୁ ଘାଟିରେ ବିକଳ୍ପ ରାସ୍ତା ନିର୍ମାଣ ନେଇ ମଧ୍ୟ ଆଲୋଚନା ହେଉଛି। ଏହି ବିଷୟରେ ମଧ୍ୟ ସମୀକ୍ଷା କରାଯାଉଛି ବୋଲି ସଚିବ କହିଥିଲେ। ଏହାପରେ ସେ ବିକଳ୍ପ ରାସ୍ତା ନିର୍ମାଣ ହେବାକୁ ଥିବା ସ୍ଥାନ ବୁଲି ଦେଖିଥିଲେ।ସଚିବଙ୍କ ଗସ୍ତ ସମୟରେ କନ୍ଧମାଳ ଜିଲାପାଳ ବେଦଭୂଷଣ, ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରା, ଭଞ୍ଜନଗର ଭାରପ୍ରାପ୍ତ ତହସିଲଦାର ଅବିନାଶ ମହାର, ଭଞ୍ଜନଗର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରତାପ ନାୟକ, ସହକାରୀ ଯନ୍ତ୍ରୀ ଗୋପାଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
