ଭୁବନେଶ୍ୱର : ସମୟ ପୂର୍ବରୁ ସରିଲା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ଆଜି ବାଚସ୍ପତି ସୁରମା ପାଢ଼ୀ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି । ମୂଳ କାର୍ଯ୍ୟସୂଚୀ ଅନୁସାରେ ଅଧିବେଶନ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା । କିନ୍ତୁ ଲଗାତାର ହଙ୍ଗାମା ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ ଆଜି ଅଧିବେଶନର ଆଗୁଆ ସମାପ୍ତି ହୋଇଛି । ତେବେ ବନ୍ୟା ସ୍ଥିତିକୁ ଦେଖି ମୁଲତବି ପ୍ରସ୍ତାବ ମଧ୍ୟ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ୯ ଦିନିଆ ମୌସୁମୀ ଅଧିବେଶନରେ ମାତ୍ର ୫ଟି କାର୍ଯ୍ୟଦିବସରେ ବିଧାନସଭା ବସିପାରିଥିଲା । ଏହି ସମୟ ମଧ୍ୟରେ ପ୍ରଶ୍ନକାଳ ନିୟମିତ ଭାବେ ଚାଲିପାରିନଥିଲା ।ଅଧିବେଶନର ପ୍ରଥମ ଦିନରୁ ହିଁ ପାଠ୍ୟପୁସ୍ତକରେ ତ୍ରୁଟି ଓ ଏମ୍ଏମ୍ଡିଆର୍ ସଂଶୋଧନ ଆଇନକୁ ନେଇ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ଆରମ୍ଭ ହୋଇଥିଲା । ଫଳରେ ବାରମ୍ବାର ଗୃହ ମୁଲତବି ରହିଥିଲା । ବିଶେଷକରି ଏମ୍ଏମ୍ଡିଆର୍ ସଂଶୋଧନ ଆଇନକୁ ନେଇ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ଗୃହରେ ପ୍ରତିବାଦ କରିଥିଲେ । ସଦସ୍ୟମାନେ ପୋଷ୍ଟର ଓ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସିବାରୁ ପ୍ରଶ୍ନକାଳ ଓ ଶୂନ୍ୟକାଳ ପ୍ରଭାବିତ ହୋଇଥିଲା । ସେପ୍ଟେମ୍ବର ୨୩ରେ ମଧ୍ୟ ଲଗାତାର ଦ୍ୱିତୀୟ ଦିନ ପାଇଁ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନଥିଲା ।ଏହି ଅଧିବେଶନରେ ମୋଟ ୫ଟି କାର୍ଯ୍ୟଦିବସରେ ମାତ୍ର ୪ଟି ବିଲ୍ ପାରିତ ହୋଇଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଧାନସଭାରେ ବିସ୍ତୃତ ଆଲୋଚନା ହୋଇପାରିନଥିଲା । ଆଜି ଅଧିବେଶନର ପଞ୍ଚମ କାର୍ଯ୍ୟଦିବସରେ ମଧ୍ୟ ଏମ୍ଏମ୍ଡିଆର୍ ଆଇନକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଥିଲା । ଗୃହ ଆରମ୍ଭ ହେବାର କିଛି ମିନିଟ୍ ମଧ୍ୟରେ ବାଚସ୍ପତି ଗୃହକୁ ମୁଲତବି କରିଥିଲେ । ଅନ୍ୟପଟେ, ରାଜ୍ୟରେ ଜାରି ଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ ଦଳର ମୁଖ୍ୟ ସଚେତକଙ୍କ ପକ୍ଷରୁ ମୁଲତବି ପ୍ରସ୍ତାବ ଆଣାଯାଇଥିଲା।ବନ୍ୟା ପ୍ରଭାବିତ ଅଞ୍ଚଳ, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମେତ ରାଜ୍ୟର ବର୍ତ୍ତମାନ ସ୍ଥିତି ଉପରେ ଗୃହରେ ଆଲୋଚନାର ଆବଶ୍ୟକତା ରହିଥିଲା । ତେବେ ଅଧିବେଶନ ଆଗୁଆ ସରିବା ସହ ବିଧାନସଭାରେ ଚଳିତ ମୌସୁମୀ ଅଧିବେଶନର କାର୍ଯ୍ୟକାରିତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିର୍ଦ୍ଧାରିତ ସମୟର ପୂର୍ବରୁ ଗୃହ ମୁଲତବି ହୋଇଥିବାରୁ ବାକି ଥିବା ବ୍ୟବସାୟିକ କାର୍ଯ୍ୟ ଓ ବିଭିନ୍ନ ପ୍ରସଙ୍ଗ ଆଲୋଚନାରୁ ବାହାରେ ରହିଯାଇଛି ।
