ଭୁବନେଶ୍ୱର : ମଞ୍ଚ ଉପରେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ପ୍ରଚଣ୍ଡ ଗର୍ଜନ ! ଆନ୍ଦୋଳନ ଆହ୍ୱାନରେ ମଞ୍ଚରେ ଆଞ୍ଚ ଲଗାଇଲେ ସୁଜାତା… ବିଜେଡିରେ ଯୋଗଦେବା ପରେ ପ୍ରଥମ ଥର ରାଜରାସ୍ତାକୁ ଓହ୍ଲାଇ ବିଜେପି ସରକାର ବିରୋଧରେ ଏମିତି ବର୍ଷିଲେ ଯେ ସାରା ରାଜନୈତିକ କରିଡର ଥରିଉଠିଲା । ସିଧା କହିଲେ— ‘ବିଜେପି ନେତାଙ୍କ ରିମୋଟ୍ କଣ୍ଟ୍ରୋଲ୍ ଦିଲ୍ଲୀରେ, ହେଲେ ବିଜେଡିର ରିମୋଟ୍ ସାଢ଼େ ୪ କୋଟି ଓଡ଼ିଆଙ୍କ ହାତରେ!’
ଲୋୟର ପିଏମ୍ଜିରେ ବିଜେଡିର ମହାଆନ୍ଦୋଳନରେ ଫୋକାଲ ପଏଣ୍ଟ ସାଜିଥିଲେ ସୁଜାତା କାର୍ତ୍ତିକେୟନ । ବିଜେଡିରେ ସାମିଲ ହେବା ପରେ ଦଳୀୟ ମଞ୍ଚରୁ ଏହା ଥିଲା ତାଙ୍କର ପ୍ରଥମ ପ୍ରତ୍ୟକ୍ଷ ଶକ୍ତି ପ୍ରଦର୍ଶନ । MMDR ସଂଶୋଧନ-୨୦୨୬କୁ ନେଇ ସରକାରଙ୍କୁ ଚାରିଆଡ଼ୁ ଘେରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଡାକରା ଦେଇଥିବା ବେଳେ, ମଞ୍ଚରେ ଉପସ୍ଥିତ ରହି ସୁଜାତା ଯେଉଁଭଳି ଭାବେ ଆକ୍ରମଣାତ୍ମକ ରୂପ ଦେଖାଇଲେ, ତାହା ଉପସ୍ଥିତ ହଜାର ହଜାର କର୍ମୀଙ୍କ ଭିତରେ ନୂଆ ଉତ୍ସାହ ଭରିଦେଇଥିଲା । ବିଧାନସଭାଠାରୁ ରାଜରାସ୍ତା ପର୍ଯ୍ୟନ୍ତ ଏହି ଆନ୍ଦୋଳନର ନିଆଁ ବ୍ୟାପିଥିବା ବେଳେ ସୁଜାତାଙ୍କ ଭାଷଣ ସରକାରଙ୍କ ଅଡ଼ୁଆ ବଢ଼ାଇ ଦେବ କି? ବିଜେପିର ଦାବିକୁ ସିଧାସଳଖ ଖଣ୍ଡନ କରି ମଞ୍ଚରୁ ଶକ୍ତ ଚ୍ୟାଲେଞ୍ଜ ଦେଇଥିଲେ ସୁଜାତା । ବିଜେପି ସାଂସଦମାନେ ୨୦୧୫ ଆଇନ ଯୋଗୁଁ ରାଜ୍ୟର ମାଇନିଂ ରୟାଲଟି ୫ ହଜାର କୋଟିରୁ ୫୦ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଥିବା କହୁଥିବା ବେଳେ, ସୁଜାତା ଏହାକୁ ସମ୍ପୂର୍ଣ୍ଣ ମିଛ ଓ ଭ୍ରମାତ୍ମକ ବୋଲି କହିଥିଲେ। ସେ ପ୍ରଶ୍ନ କରିଥିଲେ ଯେ, ଯଦି କେନ୍ଦ୍ର ଆଇନ ଯୋଗୁଁ ରୟାଲଟି ବଢ଼ିଲା, ତେବେ ୨୦୧୫ରେ ଅନ୍ୟ କୌଣସି ବିଜେପି ଶାସିତ ଖଣି ବହୁଳ ରାଜ୍ୟରେ ଏହା କାହିଁକି ବଢ଼ିଲାନାହିଁ? ଓଡ଼ିଶାରେ ରାଜସ୍ୱ ବୃଦ୍ଧି କେବଳ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନୀତି ଏବଂ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଯୋଗୁଁ ସମ୍ଭବ ହୋଇଛି, ଯାହାକୁ ଖୋଦ୍ ପ୍ରଧାନମନ୍ତ୍ରୀ ମଧ୍ୟ ସଂସଦରେ ପ୍ରଶଂସା କରିଥିଲେ।କେବଳ ସେତିକି ନୁହେଁ, ବିଜେପିର ଆଭିମୁଖ୍ୟ ଉପରେ କଡ଼ା ପ୍ରହାର କରି ସୁଜାତା କହିଥିଲେ ଯେ, ବିଜେପି ମାଆ ଓ ମାଟି ପ୍ରତି ଚରମ ଅନ୍ୟାୟ କରିଛି। ‘ବନ୍ଦେ ଉତ୍କଳ ଜନନୀ’ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁ ନେଇ ବିଜେପି ଓଡ଼ିଶାବାସୀଙ୍କୁ ଠକୁଛି ଏବଂ ଭୂଆଁ ବୁଲାଉଛି। ଓଡ଼ିଶାର ଖଣିଜ ସମ୍ପଦକୁ ଲୁଟ୍ କରିବାକୁ ଷଡ଼ଯନ୍ତ୍ର ଚାଲିଛି। ସେ ସ୍ପଷ୍ଟ ଚେତାବନୀ ଦେଇ କହିଥିଲେ—ରାଜ୍ୟର ବିଜେପି ନେତାମାନେ ଦିଲ୍ଲୀର ରିମୋଟ୍ କଣ୍ଟ୍ରୋଲ୍ରେ ପରିଚାଳିତ ହେଉଛନ୍ତି, କିନ୍ତୁ ବିଜେଡି ସର୍ବଦା ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ସମର୍ପିତ।ସଂସଦରେ ପାରିତ ହୋଇଥିବା MMDR ସଂଶୋଧନ ଓଡ଼ିଶା ଉପରେ ବିରାଟ ଆର୍ଥିକ ବୋଝ ଲଦିଦେବ ଏବଂ ଏହା ସମ୍ପୂର୍ଣ୍ଣ ରାଜ୍ୟ ସ୍ୱାର୍ଥ ବିରୋଧୀ ବୋଲି ବିଜେଡି ଅଭିଯୋଗ କରିଛି। ସୁଜାତାଙ୍କ ଏହି ଶାଣିତ ଆକ୍ରମଣ ପରେ ସ୍ପଷ୍ଟ ହୋଇଯାଇଛି ଯେ, ବିଜେଡି ଏହି ପ୍ରସଙ୍ଗରେ ପଛଘୁଞ୍ଚା ଦେବାକୁ ଆଦୌ ପ୍ରସ୍ତୁତ ନୁହେଁ। ଯେପର୍ଯ୍ୟନ୍ତ ଏହି ଆଇନ ପ୍ରତ୍ୟାହାର ନ ହୋଇଛି, ସେପର୍ଯ୍ୟନ୍ତ ଗଳିକନ୍ଦିରୁ ରାଜଧାନୀ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ମଞ୍ଚରୁ ଶଙ୍ଖନାଦ କରିଛନ୍ତି ସୁଜାତା।
