ହେତୁବାଦ ନାମରେ ଜଣେ କେହି ଖୋଜୁଛି କାରଣ, କଥା କଥାକେ ଖୋଜୁଛି ପ୍ରମାଣ; କାହିଁକି କ’ଣ ପାଇଁ କହି ଜାଣିବାକୁ ଚାହୁଁଛି ହେଲେ ଜଣେଇବା ଲୋକକୁ ବିଶ୍ୱାସକୁ ନେଉନି, ଧର୍ମାନ୍ଧ କହୁଛି। ବିଜ୍ଞାନ ଆଧାରରେ ଜାଣିବାକୁ ଚାହୁଁଛି ହେଲେ କାହାର ବିଶ୍ଳେଷଣକୁ ଫାଙ୍କି ଦଉଛି ଅନାୟାସରେ। ଧର୍ମ କହିଲେ ବୁଝୁଛି ଯାହା ଆଖି ଆଗର ଦୃଶ୍ୟମାନ କଥା ଆଉ ଅଦୃଶ୍ୟ ଜଗତକୁ ଅସ୍ବୀକାର କରୁଛି। ସିଧାସଳଖ କହୁଛି, ଏ ସୁନ୍ଦର ସୃଷ୍ଟିର ପଛରେ କାହାର ହାତ ନାହିଁ। ପାରାମ୍ପରିକ ଧର୍ମଛଡ଼ା ହେତୁ ଏମାନଙ୍କୁ ଅଜ୍ଞେୟବାଦୀ (ଆଗନୋସ୍ଟିକ), ନାସ୍ତିକ (ଏଥିଏଷ୍ଟ) ବା ମୁକ୍ତଚିନ୍ତକ(ଫ୍ରିଥିଙ୍କର) କୁହାଯାଇପାରେ। ଆକାଶ ଛାତିରେ ଜ୍ୟୋତିଷ୍କ ପୁଞ୍ଜର ସାଜସଜାକୁ ପ୍ରକୃତିର ଘଟଣାବଳୀ, କୃଷ୍ଣଗର୍ତ୍ତ, ଛାୟାପଥ, ଗ୍ରହ କି ନକ୍ଷତ୍ରଙ୍କ ଚଳନକୁ ସ୍ୱାଭାବିକ କଥା କହୁଥିବା ହେତୁବାଦୀ ଏ ମହାକାଶୀୟ ସଂରଚନା ପଥକୁ କେହିଜଣେ ଗାରକାଟି ଶୃଙ୍ଖଳିତ କରିଥିବାକୁ ମାନିବା ପାଇଁ ରାଜିନୁହେଁ। ହିନ୍ଦୀରେ ଗୋଟେ ଉଦ୍ଧୃତାଂଶ ଅଛି- “ପାପ ଔର ପୁଣ୍ୟକି ଭାଷା ତାକତଦାରନେ ବନାତେ ହେ ଔର କମଜୋରକି ଉପର ଥୋକତେ ହେ”। କିନ୍ତୁ ଉକ୍ତ ଅନୁସନ୍ଧାନ ଧର୍ମୀ ଲେଖାରେ କାହାରିକୁ କମଜୋର କରିବା ଉଦ୍ଦେଶ୍ୟ ନରଖି ଚେଷ୍ଟା କରାଯାଇଛି ‘ମୁକ୍ତଚିନ୍ତକ’ ଆଉ ‘ମୁକ୍ତ ଦର୍ଶକ’ ମଧ୍ୟରେ ବଢୁଥିବା ପାର୍ଥକ୍ୟର କାରଣ ଖୋଜି ପାଇବା। ମଞ୍ଜି ଯଦି ଗଛକୁ ପଚାରିବ ଯେ ମୋ ଯୋଗୁ ତୁ ଏଡ଼େ ବଡ ହେଇଛୁ ତେବେ ବିତର୍କର ବିଷୟଟିଏ ଛିଡାହବହିଁ ହବ। ଏଠାରେ କିଏ ମଞ୍ଜି କିଏ ଗଛ ତାହା ପାଠକଙ୍କ ବିଚାର। ହେତୁବାଦୀ ନିଜକୁ ବିବେକବନ୍ତ (ରେସନାଲ) କହୁଛି। ଜୀବଠାରେ ପୂର୍ବଜଙ୍କ ପାଖରୁ ଆସିଥିବା ଜିନ ସମ୍ବନ୍ଧିୟ ସମ୍ପର୍କକୁ ବିଶ୍ୱାସ କରୁଛି ଯଦିଓ ମୃତ୍ୟୁ ପର ଜୀବନକୁ ଅସ୍ବୀକାର କରୁଛି। ପୃଥିବୀର ବଡବଡ଼ ଧାର୍ମିକ ଗୋଷ୍ଠୀ ଅନ୍ତେଷ୍ଟିକ୍ରିୟା, ମୁକ୍ତି ଓ ପୁନଃଜନ୍ମ ସମ୍ବନ୍ଧିତ କହିଲା ବେଳେ, ହେତୁବାଦୀ ସେକଥାକୁ ଉଦ୍ଭଟ କହିବାଯୋଗୁ ସାମାଜିକ-ଧାର୍ମିକ ସହାବସ୍ଥାନରେ ବିଭାଜନ ହେଉଛି। ନରେନ୍ଦ୍ର ଦାଭୋଲକରଙ୍କ ପରି ହେତୁବାଦୀ ଅଘୋରୀ, ତନ୍ତ୍ର, ଡାଆଣୀ ଆଦି ବିରୋଧରେ ସାମାଜିକ ସଚେତନ ବାର୍ତ୍ତା ଦେଲେ। ଆଧୁନିକ ମହାରାଷ୍ଟ୍ରରେ ଅନ୍ଧବିଶ୍ୱାସ ମାତ୍ରା କମିବାରେ ଦାଭୋଲକରଙ୍କୁ ବାଃବାଃ ଦବାରେ ଆମେ ପଶ୍ଚାତପଦ ନୁହଁ। ଏକଥାବି କୁହାଯାଇପାରେ, ବିଜ୍ଞାନ କେବେ ଅଦୃଶ୍ୟ ଜଗତକୁ ଖୋଜିବାରେ ପଶ୍ଚାତପଦ ନୁହେଁ। ସୂର୍ଯ୍ୟ କେତେ ଡିଗ୍ରୀ ଅକ୍ଷାନସରେ ଉଦୟ ବା ଅସ୍ତ ଯିବେ ତାହାର ଆକଳନ ସମର୍ଥ ବିଜ୍ଞାନ ହୋଇପାରିଥିବା ବେଳେ ଖଡ଼ିରତ୍ନ ମଧ୍ୟ ତାହାର ସଠିକ ଆକଳନ କରୁଛି। ତେବେ ବଡକଥା ହେଲା ବିଜ୍ଞାନ ମଧ୍ୟ ଗ୍ରହଣ କରିଛି ପାରମ୍ପାରିକ ଗଣକଙ୍କୁ, ଅସ୍ବୀକାର କରିନି ସୂର୍ଯ୍ୟୋଦୟ ଆଉ ପରାଗରେ ପ୍ରାଚୀନ ପଞ୍ଜିକାରଙ୍କ ହିସାବକୁ। ୧୯୩୦ ମସିହା, ଗ୍ରୀଷ୍ମ ଅବକାଶ, କାପୁଥ ରହଣି କାଳରେ ଆଲବର୍ଟ ଆଇନଷ୍ଟାଇନଙ୍କୁ ଜଣେ ପାଦ୍ରୀ, ‘ଈଶ୍ୱର କହିଲେ କଅଣ ବୁଝନ୍ତି’ ବୋଲି ଉତ୍ତର ଚାହିଁଲେ। ପଚାଶଟି ଶବ୍ଦ ଭିତରେ ଉତ୍ତର ପାଇଁ ଟେଲିଗ୍ରାମ ବାର୍ତ୍ତାର ଦେୟ ମଧ୍ୟ ଆଗୁଆ ଦେଇଦେଲେ। ସମସ୍ତଙ୍କ ଉତ୍ସାହ ଥିଲା ଯେ ଜଣେ ବୈଜ୍ଞାନିକ ପୁଣି ଧର୍ମରେ ଇହୁଦି (ଈଶ୍ୱରଙ୍କ ଅସ୍ଥିତ୍ୱକୁ ଅସ୍ବୀକାର କରୁଥିବା ଧର୍ମ) ଭାବରେ ଆଇନଷ୍ଟାଇନ କେମିତି ଏହାର ଉତ୍ତର ରଖୁଛନ୍ତି। ଉତ୍ତର ଆସିଲା ଚକିତ କଲାଭଳି ! ଆଲବର୍ଟଙ୍କ ଉତ୍ତର ଥିଲା- “ଈଶ୍ୱର କିଏ ମୁଁ ଜାଣେନାହିଁ। ହେଲେ ଗ୍ରହ ଉପଗ୍ରହଙ୍କୁ ମାର୍ଗରେ ଚଲେଇବା, ନକ୍ଷତ୍ରଙ୍କୁ ଜଳେଇବା, ଅନନ୍ତ ଆକାଶକୁ ଶୋଭାମୟ କରିବା ଗୋଟେ ସାଧାରଣ ମଣିଷର ହାତ ହୋଇନପାରେ। ଅର୍ଥାତ, ଈଶ୍ୱର ସୃଷ୍ଟି ସହ ଜୁଆ ଖେଳନ୍ତି ନାହିଁ।” ଇହୁଦି ହିସାବରେ ଈଶ୍ୱରଙ୍କୁ ଜାଣିନାହିଁ କହି ସାଧାରଣ ମଣିଷ ଉର୍ଦ୍ଧରେ ଜଣେ ମହାସ୍ରଷ୍ଟାଙ୍କ ହାତଥିବା କହିଦେଲେ। କେହିଜଣେ ନିଶ୍ଚୟ ସୃଷ୍ଟିକୁ ସୌନ୍ଦର୍ଯ୍ୟମୟ କରିବାରେ ଏକମନ ପ୍ରୟାସ କରିଛି କହି ଏତେବଡ ବୈଜ୍ଞାନିକ ନିଜକୁ ଈଶ୍ୱରୀୟ ପାଦତଳେ ସମର୍ପିତ କରିଦେଲେ। ଅଠରଶହ ଶତାବ୍ଦୀରେ ଡେଭିଡ ହ୍ୟୁମ ଈଶ୍ୱରଙ୍କ ସ୍ଥିତି ଜାଣିବାକୁ ଚାହିଁଲେ। ଏଠାରେ କୁହାଯାଇପାରେ ଯେ ଈଶ୍ୱରୀୟ ଅନୁଭବ ହେଉଛି ବ୍ୟକ୍ତିଗତ କଥା। ରାମାନୁଜନଙ୍କ ଗାଣିତିକ ସୂତ୍ର ନୁହେଁଯେ କେହି ଫଳ ବାହାର କରିଦେବ। ସୁକ୍ଷ୍ମାତିସୁକ୍ଷ୍ମ ଫୋଟନ କଣିକା ଗଣନ ପାଇଁ ନୁଆ ପନ୍ଥା ଉଦ୍ଭାବନ କଲେ ଭାରତୀୟ ପଦାର୍ଥ ବୈଜ୍ଞାନିକ ସତ୍ୟେନ୍ଦ୍ର ନାଥ ବୋଷ। ଆଲବର୍ଟ ଆଇନଷ୍ଟାଇନଙ୍କ ସମକାଳୀନ ସତ୍ୟେନ୍ଦ୍ର ନାଥ ବୋଷଙ୍କ “ମାତ୍ରା ତତ୍ୱ” (କ୍ୱାଣ୍ଟମ ଥିଓରି) ପରେ ବୋଷ-ଆଇନ ଷ୍ଟାଇନ ତତ୍ୱ ନାମରେ ନାମିତ ହେଲା। ଏତେ ଗୁଣର ଅଧିକାରୀ ସତ୍ୟେନ୍ଦ୍ରନାଥ ଗର୍ବର ସହ ନିଜକୁ ଜଣେ ହିନ୍ଦୁ ବୋଲି କହୁଥିଲେ ଆଉ ପାରମ୍ପରିକ ବିଶ୍ୱାସ ଓ ଧର୍ମାଚାର ଭିତରେ ଚଳୁଥିଲେ। ଘରେ ଦୈନନ୍ଦିନ ପୂଜାପାଠ କରୁଥିଲେ ଓ ଧର୍ମସ୍ଥଳୀ ଯାଉଥିଲେ। ଭାରତୀୟତାର ମୂଲ୍ୟ ବୁଝିଥିବା ଲୋକ କେବେ ଈଶ୍ୱର କିଏ ବା କୋଉଠି ଅଛନ୍ତି କହି ବାରଲୋକଙ୍କୁ ଭ୍ରମିତ କଲେ ସେ ମାନସିକ ବିକାରଗସ୍ତ ଜାଣିବାକୁ ହେବ। “ସତ୍ୟ ଆଉ ଈଶ୍ୱରଙ୍କୁ ଆମେ ବିଜ୍ଞାନର ଚାଦର ତଳେ ଘୋଡେଇ ରଖିପାରିବାନି ସବୁଦିନ।” କ୍ଷୀଣ ହେଉଥିବା ହିନ୍ଦୁ ସନାତନିର ଭାଷା ଯଦି ପାଶ୍ଚାତ୍ୟର ଜଣେ ମହାନ ବୈଜ୍ଞାନିକଙ୍କ କଣ୍ଠ ସ୍ୱର ହୁଏ ତେବେ ଆମକୁ ଚିନ୍ତନ କରିବାକୁ ହେବ ଯେ ଆମ ପାଖରେ ଟିକେ ଅସୁବିଧା କୋଉଠି ରହିଗଲା। ଷୋଡଶ ଶତାବ୍ଦୀର ମଧ୍ୟାହ୍ନରେ ପିସା, ଇଟାଲୀ ଜନ୍ମିତ ସେହି ମହାନ ମହାକାଶ ବିଜ୍ଞାନୀ ଗାଲିଲିଓ ଗାଲେଲି ମତ ରଖିଲେ, ବାଇବେଲକୁ ମଧ୍ୟ ଗୋଟିଏ ଜାତିର ସାହିତ୍ୟ ଓ ସଂସ୍କୃତି ମନେକରି ପଢିବା ଆବଶ୍ୟକ। ଗାଲିଲିଓ କହିଥିଲେ- “ଗଡ୍ସ ୱାର୍ଡ ଏଣ୍ଡ ନେଚର୍ସ ଟ୍ରୁଥ ମଷ୍ଟ ବି ଆଲାଇଣ୍ଡ”। ଟେଲିସ୍କୋପ ମାଧ୍ୟମରେ ଚନ୍ଦ୍ରରେ ପାହାଡ, ବୃହସ୍ପତିରେ ଚାରି ବଡ ଉପଗ୍ରହ ଲୋ, ଗାନିମେଡ, ୟୁରୋପା ଆଉ କାଲିଷ୍ଟୋ, ଛାୟାପଥରେ ଅସଂଖ୍ୟ ତାରାଗଣ, ପୁଣି ସୌର କଳଙ୍କ ଆବିଷ୍କାର କରିଥିବା ଜ୍ୟୋତିର୍ବିଦ ଗାଲିଲିଓ ଏ ସବୁ ପଛରେ ଈଶ୍ୱରଙ୍କ ଆଶୀର୍ବାଦ ଥିବା କହିଥିଲେ। ଶ୍ରୀନିବାସ ରାମାନୁଜନଙ୍କ ସଂଖ୍ୟା ତତ୍ୱ, ଅସୀମିତ ପଦ ଶୃଙ୍ଖଳା ଓ ବିସ୍ଲେସଣ କ୍ଷେତ୍ରରେ ବୈପ୍ଲବିକ ଧାରା ଆଣିଲା। ଥେଟା କାର୍ଯ୍ୟକାରିତା, ଦୁଇ କ୍ୟୁବର ସମଷ୍ଟିରେ କ୍ଷୁଦ୍ରତମ ସଂଖ୍ୟାର ପରିପ୍ରକାଶ ଆଦି ଅନେକ ଗାଣିତିକ ସୂତ୍ର, ପଦାର୍ଥବିଜ୍ଞାନ ଓ କମ୍ପୁଟର ବିଜ୍ଞାନ କ୍ଷେତ୍ରକୁ ବ୍ୟାପକ ଖୋରାକ ଯୋଗାଇଲା। ଆନ୍ତର୍ଜାତିକ ସ୍ତରରେ ତାଙ୍କର ବଳିଷ୍ଠ ପ୍ରତିଭାକୁ ଜିଏଚ ହାର୍ଡିଙ୍କ ସହାଭାଗିତା ମିଳିଲା। କିନ୍ତୁ ସମର୍ପଣର ସ୍ବୀକାରୋକ୍ତି ତାଙ୍କ ସରଳତାକୁ ଧରାପକେଇଲା; ଗାଣିତିକ ସୂତ୍ରର ଉଦ୍ଭାବନ ପଛରେ ଧାର୍ମିକ ରହସ୍ୟ ଅଛି ବୋଲି ମାନିଲେ। ହିନ୍ଦୁ ଦେବୀ ନାମଗିରୀ ଥାୟାରଙ୍କ ଦୈବୀକୃପା କହି ସେ ନିଜକୁ ସାମାନ୍ୟ କଲେ। ନିଜପାଇଁ ନିଜେ ସାବାସୀ ନବାରେ ସମସ୍ତେ ବ୍ୟସ୍ତ ଥିବାବେଳେ ରାମାନୁଜନ କହିଲେ ଈଶ୍ୱରହିଁ ସବୁ ସୌନ୍ଦର୍ଯ୍ୟର ମୂଳ ଉତ୍ସ। ପ୍ରତ୍ୟକ କଥାରେ କାରଣ ଖୋଜୁଥିବା ହେତୁବାଦୀ ମାନଙ୍କୁ ଅହେତୁକ ଜ୍ଞାନର ଉତ୍ତରାଧିକାରୀ ରାମାନୁଜନ ଈଶ୍ୱରଙ୍କ ପଦଧ୍ୱନି ଶୁଣାଇଲେ। “ମାନିଲେ ଠାକୁର, ନମାନିଲେ ପଥର” ଉକ୍ତିକୁ ମଧ୍ୟ ନବ ସଂକଳନ କଲେ ସବୁ ସମସ୍ୟାର କାରଣ ଖୋଜୁଥିବା ମହାନ ଗାଣିତିଜ୍ଞ ରାମାନୁଜନ। ଝଗଡା ପାଇଁ ଷଣ୍ଢ ହନ୍ତୁରୀ ହେଉଥିବା ଆଉ ଗଣମାଧ୍ୟମରେ ସୁନାମୁହଁକୁ ବିଜ୍ଞାପିତ ସୁଯୋଗ ଖୋଜୁଥିବା ହେତୁବାଦୀ ମାନେ ଭୁଲିଯାଇଥିବେ, ତାଙ୍କ ସଫଳତା ପାଇଁ ଦିନେ ମା’ ଘରେ ଝୋଟି ପକେଇ ମହାଲକ୍ଷ୍ମୀଙ୍କ ଆରାଧନା କରୁଥିଲା। କଥାରେ ଅଛି- “ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର”। ମହିୟସୀ ଶକୁନ୍ତଳା ଦେବୀ ବାଙ୍ଗାଲୋରର ଗୋଟେ କନ୍ନଡ଼ ବ୍ରାହ୍ମଣ ପରିବାରରେ ୧୯୨୯ ମସିହାରେ ଜନ୍ମ। ମାତ୍ର ୬ ବର୍ଷ ବୟସରେ ମହୀଶୂର ବିଶ୍ୱବିଦ୍ୟାଳୟରେ ନିଜ ଗାଣିତିକ ଜ୍ଞାନର ପରିଚୟ ସୃଷ୍ଟିକଲେ। ଅଧିକ ଗଣିତଶାସ୍ତ୍ର ପଢିବାକୁ ମାତ୍ର ପନ୍ଦର ବର୍ଷ ବୟସରେ ଲଣ୍ଡନ ଗଲେ। ଉପାଧି ପ୍ରାପ୍ତ କଲେ ‘ମାନବ କମ୍ପ୍ୟୁଟର’। ତାଙ୍କର ଗାଣିତିକ ପ୍ରାବଲ୍ୟତାକୁ ଈଶ୍ୱରଙ୍କ ଦାନ ବୋଲି କହିଲେ। ସେହିପରି ଭାରତୀୟ ଗବେଷଣାର ମହାନ ବୈଜ୍ଞାନିକ ତଥା କ୍ଷେପଣାସ୍ତ୍ରର ଜନକ ଡ. ଏପିଜେ ଅବଦୁଲ କଲାମ ମଧ୍ୟ ନିରହଂକାର ଥିଲେ ବ୍ୟକ୍ତିଗତ ଜୀବନରେ। ତାଙ୍କର କୃତିତ୍ୱର ଧାରାକୁ ଯୋଡିଥିଲେ ଈଶ୍ୱରଙ୍କ ସହ। ଶକୁନ୍ତଳା ଓ କଲାମ, ଉଭୟଙ୍କ ଦାନ ଅତୁଳନୀୟ। କେହି ନିଜକୁ କେବେ ଜ୍ଞାନର ଗଙ୍ଗା ବୋଲି ଦେଖେଇ ନଥିଲେ। ଜଣେ ଭାଗବତ ଗୀତାକୁ ପାଥେୟକରି ଆଉ ପ୍ରଭୁ ଗଣେଶଙ୍କୁ ସୁମରଣା କରି ଆଗକୁ ବଢିଥିବା ସ୍ୱୀକାର କଲାବେଳେ ଆଉଜଣେ କୋରାନ ଆଉ ଗୀତା ଦ୍ୱାରା ପ୍ରଭାବିତ ତଥା ଆଲ୍ଲାଙ୍କ ସଦୟ ନିଷ୍ପତ୍ତି ତାଙ୍କ ପ୍ରତିଟି ଉଦ୍ଭାବନ ପଛରେ ବୋଲି ଘୋଷଣା କଲେ। ନିଜର ଧର୍ମକୁ ନେଇ କାହାସହ ସଂଘର୍ଷ କରିନଥିଲେ। ନିଜକୁ ହେତୁବାଦୀ କହି ଈଶ୍ୱରୀୟ ସତ୍ତା ଉପରେ ଭାରୀ ପଡ଼ିବାକୁ ପନ୍ଥା ବାଛି ନଥିଲେ। ଅବଦୁଲ କଲାମ କହିଥିଲେ, “ଆଇ ହାଭ ଅଲୱେଜ ବିନ ଏ ରିଲିଜିଅସ ପର୍ସନ ଉଇଥ ଦ ସେନ୍ସ ଦ୍ୟାଟ ଆଇ ମେଣ୍ଟେନ ଏ ୱାର୍କିଙ୍ଗ ପାର୍ଟନରସିପ ଉଇଥ ଗଡ”। ଭଗବାନଙ୍କୁ ସର୍ବମାନ୍ୟ ଚିରନ୍ତନ ଶାସକ (ପାଣ୍ଟକ୍ରେଟର), ଦିବ୍ୟ, ବୁଦ୍ଧିମାନ ଓ ଈଶ୍ୱରଙ୍କ ଈଶ୍ୱର କହିଥିବା ବିଶିଷ୍ଠ ବୈଜ୍ଞାନିକ ସାର ଆଇଜାକ ନିଉଟନ ତାଙ୍କ “ବୁକ ଅଫ ନେଚର”ରେ ପ୍ରକାଶ କରିଥିଲେ। ଗତି, ଗୁରୁ ଆକର୍ଷଣ(ଗ୍ରେଭି ଟେସନାଲ ପୁଲ) ଅନୁଧ୍ୟାନର ନିଷ୍କର୍ଷରେ ଜଗତକୁ ଛାଡି ଯାଇଥିଲେ ବିଜ୍ଞାନର ବତୀଘର। ପଛରେ କେପଲର, ଗାଲିଲିଓ ଓ ଗାଣିତିଜ୍ଞ ଡେସକର୍ଟିସ ଅବଦାନ ଥିଲା। ନିଜର ଧର୍ମକୁ ନେଇ ଏମାନେ କଟ୍ଟର ଧାର୍ମିକତା(ଡଗ୍ମା) କି ଅନ୍ଧବିଶ୍ୱାସ(ସୁପରଷ୍ଟିସନ) କରାୟତ ହୋଇନଥିଲେ କିମ୍ବା ନିଜର ଧିମତା ପଛରେ ଈଶ୍ୱରଙ୍କ ହାତ ଥିବା କହି ଲୋକ ଚକ୍ଷୁରେ ଛୋଟ ହୋଇଯାଇ ନଥିଲେ। ରାହୁ-କେତୁ ଗ୍ରାସ ଜନିତ ପରାଗ କି ଗ୍ରହଣକୁ ନେଇ ବିଶ୍ୱର ମହାନ ବୈଜ୍ଞାନିକ ମାନେ କେବେ ଭାରତୀୟ ପଞ୍ଜିକାରଙ୍କୁ ବିରୋଧ କରିନଥିଲେ। ଚନ୍ଦ୍ର ଆଉ ପୃଥିବୀର ଛାୟା ଜନିତ କଥାର ସଚେତନ ବାର୍ତ୍ତାଦବାକୁ ଉକ୍ତ ଦିନ ମଦ ମାଂସ ଗର୍ଭସ୍ଥ କରି ଦୈତ୍ୟ ପରି ଉନ୍ମାଦ ଡେଇଁନଥିଲେ। ଭଗବାନଙ୍କ କଥା ଆଉ ପ୍ରକୃତିର ସତ୍ୟ ମଧ୍ୟରେ ଥିବା ଐକ୍ୟତାକୁ ବୁଝିଗଲେ କିଏବା କାହିଁକି ବିବାଦୀୟ (ଡିସ୍ପୁଟାଣ୍ଟ) ହବାକୁ ଚାହିଁବ —ସାରଦା ପ୍ରସାଦ କର,(ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର–
