ସାଂସ୍କୃତିକ ଅନୁଷ୍ଠାନ ଶିଳ୍ପିକା ପକ୍ଷରୁ “ଡାର୍କ ଟୁ ଲାଇଟ୍” ସାଂସ୍କୃତିକ ସମାରୋହ
ଭୁବନେଶ୍ୱର : ସାଂସ୍କୃତିକ ଅନୁଷ୍ଠାନ ଶିଳ୍ପିକା ପକ୍ଷରୁ “ଡାର୍କ ଟୁ ଲାଇଟ୍” ସାଂସ୍କୃତିକ ସମାରୋହ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ପାଇଁ “ଶିକ୍ଷିକା ସମ୍ମାନ-୨୦୨୫” କଳା କ୍ଷେତ୍ରରେ ଅବଦାନ ପାଇଁ ତିନି ଜଣ ବିଶିଷ୍ଟ କଳାକାରଙ୍କୁ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ବାଲେଶ୍ବରର ବିଶିଷ୍ଟ ଜଉ କଣ୍ଢେଇ ଶିଳ୍ପୀ କେଶୁ ଦାସ, ପୁରୀର ଘୋଡ଼ା ନାଚ ଶିଳ୍ପୀ ଜଟାଧାରୀ ବେହେରା ତଥା ସୁନାମ ଧନ୍ୟ କଣ୍ଠଶିଳ୍ପୀ ରସ ଜାମୁଡ଼ାଳୀ ସମ୍ବଲପୁରୀ ଗୀତର ଗାୟିକା ସନ୍ଧ୍ୟାରାଣୀ ପାଟ୍ଟଯୋଶୀ ।କଳାକ୍ଷେତ୍ରରେ ଲୁକାୟିତ ପ୍ରତିଭାମାନଙ୍କୁ ମଞ୍ଚ ଉପରକୁ ଆଣିବା ପାଇଁ ପ୍ରତି ବର୍ଷ ଏହି କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ଏହି ବର୍ଷ ଅପରାହ୍ନ ୪ ଘଟିକା ଠାରୁ ୬ ଘଟିକା ପର୍ଯ୍ୟନ୍ତ ସ୍କୁଲ ପିଲାମାନଙ୍କୁ ନେଇ ଡାର୍କ ଟୁ ଲାଇଟ୍ ଏକକ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା । ଯେଉଁଥିରେ କୁନିପିଲାମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ଏବଂ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କୋଲକାତାର ଆଦିକଳା ନୃତ୍ୟ ଏକାଡ଼େମୀ ପକ୍ଷରୁ ଭାରତ ନାଟ୍ୟମ୍, ଓଡ଼ିଶୀ ସାଧନା ପୀଠ, ବରହମପୁର କଳାକାରଙ୍କ ପକ୍ଷରୁ ଓଡ଼ିଶୀ ନୃତ୍ୟ, ଶ୍ରୀ ଜଗନ୍ନାଥ ନୃତ୍ୟ ଏକାଡ଼େମୀ, କଟକ ପକ୍ଷରୁ ମାହାରୀ ନୃତ୍ୟ, ବୀଣାପାଣି କଳାନିକେତନ କେଉଁଝର ପକ୍ଷରୁ ନୃତ୍ୟାଭିନୟ, ବାଲେଶ୍ଵରର ଶ୍ରଦ୍ଧା କ୍ରିଏଟିଭ୍ ଦ୍ଵାରା ସମ୍ବଲପୁରୀ ନୃତ୍ୟ ଏବଂ ଶିକ୍ଷିକା ଭୁବନେଶ୍ଵର ପକ୍ଷରୁ କ୍ରିଏଟିଭ୍ ନୃତ୍ୟ ପରିବେଷଣ କରାଯାଇଥିଲା । ଅତିଥି ଭାବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ଡ.ଚନ୍ଦ୍ରଶେଖର ହୋତା, ବିଶ୍ବ ଓଡ଼ିଆ ସମାଜର ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ଦ୍ବିବେଦୀ, ବିଶିଷ୍ଠ କଣ୍ଠଶିଳ୍ପୀ ଶ୍ରୀମତୀ ଅନିନ୍ଦିତା ଦାସ,ଚଳଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତି, ବାଲେଶ୍ଵର ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତୀ, ଚଳଚିତ୍ର ଅଭିନେତ୍ରୀ ସୁଭଦ୍ରା ମହାନ୍ତି ଯୋଗ ଦେଇଥିଲେ । ଅନୁଷ୍ଠାନର ସଂପାଦକ ବାସୁଦେବ ନାଥ ଅତିଥିମାନଙ୍କୁ ସମ୍ବଦ୍ଧିତ କରିଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପାର୍ବତୀ ବାରିକ କଳାକାରମାନଙ୍କୁ ମାନପତ୍ର ପଦାନ କରିଥିଲେ । ଚନ୍ଦନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଅନ୍ୟମାନଙ୍କ ମଧ୍ୟରେମନୋରଞ୍ଜନ ଦାସ, ସୁମନ ମହାପାତ୍ର, ବିକାଶ ବିଶ୍ବାଳ, ଶାନ୍ତ ମହାପାତ୍ର, ଶୁଭସ୍ମିତା ବାରିକ, ମୋନାଲି ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
