ଗାଡ଼ି ବୋଝେଇ କଣ୍ଟେନେରକୁ ବାଇକ ଆରୋହି ଧୋକା ମାରି ୨ଜଣ ମୃତ
ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅଧୀନ ରାଞ୍ଚି-ବିଜୟୱାଡ଼ା ୨୨୦ ନଂ. ଜାତୀୟ ରାଜପଥର ରାଇରଙ୍ଗପୁର ନୋ ଏଣ୍ଟ୍ରି ଜୋନ୍ରେ କଣ୍ଟେନର୍କୁ ବାଇକ୍ ଧକ୍କା ଦେବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି।ସୋମବାର ରାତି ୮ଟା ବେଳେ ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ପୁରୁଣାଘାଟି ନୋ ଏଣ୍ଟ୍ରି ଜୋନ୍ର ‘ବଜାଜ ବାଇକ୍ ସୋ’ ରୁମ୍ ସମ୍ମୁଖରେ ନୂଆ ବାଇକ୍ ଅଲ୍ଲାଉ ଥିବା ୟୁପି-୭୮-ଏଚ୍-୯୬୦୬ନମ୍ବରର ଏକ କଣ୍ଟେନର ଛିଡ଼ା ହୋଇଥିଲା। ଏହି ସମୟରେ ଓଡି-୧୧- ଜେ-୬୬୭୧ ନମ୍ବରର ବାଇକ୍ରେ ପରିବା ବିକି କରି ଫେରୁଥିବା ବିଶୋଇ ଥାନା ଅନ୍ତର୍ଗତ ବନେଇକଳା ପାଖ ଚତୁରୀସାହି ଗ୍ରାମର ସଞ୍ଜୀବ ସିଂ (୩୦) ଏବଂ ମୋଟା ସିଂ (୧୪) ଟ୍ରକ୍ ପଛରେ ପିଟି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ସଞ୍ଜୀବ ଓ ମୋଟାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣାକରିଥିଲେ। ଏନେଇ ରାଇରଙ୍ଗପୁର ଟାଉନ୍ ଥାନା ପୁଲିସ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ଚଳାଇଛି।ସୂଚନା ଅନୁସାରେ; ରାଞ୍ଚି -ବିଜୟୱାଡ଼ା ୨୨୦ ନଂ. ଜାତୀୟ ରାଜପଥର ରାଇରଙ୍ଗପୁର ନୋ ଏଣ୍ଟ୍ରି ଜୋନ୍ରେ ବିଭିନ୍ନ ସମୟରେ ଯାନବାହନ ଛିଡ଼ା ହେଉଛି । ଫଳରେ ପ୍ରାୟ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏନେଇ ଅଭିଯୋଗ କରାଯାଉଥିଲେସେମିତି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନି।
