ରାଜ୍ୟ

କାଗଜପତ୍ରରେ କୋଟିଏ ଟଙ୍କାର କାମ ବାସ୍ତବରେ ଫଳକ ଛଡ଼ା କିଛି ନାହିଁ

Spread the love

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ଅନ୍ତର୍ଗତ ଝିଡ଼ାସାଗର ଜିଲୁଣ୍ଡା ଠାରେ କ୍ଷୁଦ୍ର ଜଳ ସେଚନ ବିଭାଗର କାର୍ଯ୍ୟ ଏବେ ସରକାରୀ ପାଣ୍ଠି ହରିଲୁଟର ଏକଜ୍ବଳନ୍ତ ଉଦାହରଣ ପାଲଟିଛି। ଫାଇଲ୍ ଫଟୋରେ ସ୍ପଷ୍ଟ ଦେଖ‌ିବାକୁ ମିଳୁଥ‌ିବା ସୂଚନା ଫଳକ ଅନୁଯାୟୀ, ଏହି ପ୍ରକଳ୍ପ ପାଇଁ ବଡ଼ ଧରଣର ଅର୍ଥରାଶି ମଞ୍ଜୁର ହୋଇଛି, କିନ୍ତୁ କ୍ଷେତ୍ରସ୍ତରରେ କାମ କହିଲେ କେବଳ ସେହି ଫଳକଟି ହିଁ ସାକ୍ଷୀ ହୋଇ ରହିଛି। ସୂଚନା ଫଳକରେ ଦର୍ଶାଯାଇଥ‌ିବା ସମୟସୀମା ଏବଂ ଅର୍ଥରାଶିକୁ ଦେଖ‌ିଲେ, ଏହା ଏକ ସୁଚିନ୍ତିତ ଦୁର୍ନୀତି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ଏହି ପ୍ରକଳ୍ପ କାମକୁ ସମ୍ପୂର୍ଣ୍ଣ ନକରି ଅଧପନ୍ତରିଆ ଭାବେ ଛାଡ଼ି ଦିଆଯିବା ପଛରେ ସ୍ଥାନୀୟ ମାଇନର ଇରିଗେସନ୍ ଜେଇ (JE) ଗୌରବ ସାହୁଙ୍କ ସିଂହ ଭାଗ ରହିଥ‌ିବା ନେଇ ସାଧାରଣରେ ଚର୍ଚ୍ଚାହେଉଛି। ଦୁର୍ନୀତିର ଏହି ମାୟାଜାଲକୁ ଖୋଜିବା ପାଇଁ ଯେତେବେଳେ ସ୍ଥାନୀୟ ଲୋକେ ଜେଇଙ୍କୁ ଯୋଗାଯୋଗ କରୁଛନ୍ତି, ସେ କୌଣସି ଉତ୍ତର ନଦେଇ ସିଧାସଳଖ ଘଟଣାକୁ ଘଣ୍ଟ ଘୋଡ଼ାଉଛନ୍ତି। ଏହି ପ୍ରକଳ୍ପ ନାମରେ ହୋଇଥିବା ଆର୍ଥିକ ଅନିୟମିତତା ଏବଂ ଜେଇଙ୍କ ସନ୍ଦିଗ୍ଧ ଭୂମିକାକୁ ନେଇ ଏବେ ସାରା ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି। ଏହି ଘଟଣାରେ ତୁରନ୍ତ ଭିଜିଲାନ୍ସ କିମ୍ବା ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ସରକାରୀ ଅର୍ଥ ହରିଲୁଟ୍‌ କରିଥିବା ସମସ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ଜନସାଧାରଣ ଦୃଢ଼ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!