ସମ୍ପାଦକୀୟ

ନବୀନ ବାବୁଙ୍କ ଆୟୁ କାଳରେ ଦଳକୁ ଧୀରେ ଧୀରେ ନିଷ୍କ୍ରିୟ କରୁଥିବା ଅହଙ୍କାରୀ ନେତାଙ୍କ ମୁଖା

Spread the love

ଓଡ଼ିଶାରେ ନେତୃତ୍ୱ ସଙ୍କଟ ନୂଆ କଥା ନୁହେଁ, ଚତୁର ଚାଣକ୍ୟ ମାନଙ୍କ ଚକ୍ରବ୍ୟୁହ ରଚନା ମଧ୍ୟରେ ନିରୀହ ଅଭିମନ୍ୟୁମାନେ କ୍ଷତାକ୍ତ। ଅତୀତର ରାଜେନ୍ଦ୍ର ଦାସ, ଧାମନଗର ସଂରକ୍ଷିତ ଆସନରେ ଆଉ ସମୀର ଦାସ, ନିମାପଡା ଆସନରେ ମଝି ନେତାଙ୍କ ପାଦ ନାଚାଟିବା କାରଣରୁ ମୁଖିଆଙ୍କ ଆସ୍ଥା ହରେଇଲେ। ୨୦୧୬ ମସିହା, ଖାଉଟି କାର୍ଡ ତାଲିକାକୁ ନେଇ ଦେବାଶିଷ ତତ୍କାଳୀନ କଟକ ମେୟର ଅନୀତା ବେହେରାଙ୍କୁ ଗାଦିଚ୍ୟୁତ କରିବାରେ ବଡ଼ ଭୂମିକା ନେଇଥିଲେ। ସେ ମାମଲାର ଅନ୍ୟ ଗହନ କଥା ପ୍ରଭାତ ବିଶ୍ୱାଳ କହିପାରିବେ। ନବୀନ ବାବୁଙ୍କ ଆୟୁ କାଳରେ ଅନ୍ତତଃ ଦଳକୁ ଧୀରେ ଧୀରେ ନିଷ୍କ୍ରିୟ କରୁଥିବା ଅହଙ୍କାରୀ ନେତାଙ୍କ ମୁଖା ସେହି ଦଳର ଅଭିଜ୍ଞ ନେତା ଖୋଲିବା ଆବଶ୍ୟକ। ଅନୀତାଙ୍କ ବହିଷ୍କାରକୁ ନେଇ ମୁହଁ ଖୋଲିଥିଲେ ସ୍ବର୍ଗତ ଦାମ ରାଉତ। ସାମନ୍ତରାୟଙ୍କୁ ପର କଥାରେ ମୁଣ୍ଡ ନପୁରେଇବାକୁ ଦଳର ବରିଷ୍ଠ ନେତା ଦାମ ରାଉତ ଚେତେଇ ଦେଇଥିଲେ। ୨୦୦୧ ମସିହାରେ ରାଣୀ ଏଲିଜାବେଥ-୨ ଙ୍କୁ ବକିଂହାମ ପ୍ରାସାଦ ଛାଡି ଉଇଣ୍ଡସର ଦୁର୍ଗକୁ ସ୍ଥାନାନ୍ତର କରାଯିବା ମୂଳରେ ମୂଷା ଉତ୍ପାତ କାରଣ ଥିଲା। ଖାଲି ଦେବାଶିଷଙ୍କ ବିରୋଧରେ ମୂଷା ଅଭିଯୋଗ ନାହିଁ, ବିଜେଡିର ଅନେକ ଆସନରେ ମୂଷା ଦଳକୁ କ୍ଷତିଗସ୍ତ କରିଥିବା ନଜର ଆସିଛି। ପ୍ରଭାତ ବିଶ୍ୱାଳଙ୍କ ଦଳରୁ ନିଲମ୍ବନ ପରେ ଦେବାଶିଷ ସାମନ୍ତରାୟ ମାଡ ମାରିବା ଭଳି ଅଭଦ୍ରାମି ମନ୍ତବ୍ୟ ଦେବାକୁ ଭୁଲିନାହାନ୍ତି। ଭାଇଚାରା ସହର କଟକବାସୀଙ୍କୁ ଏଭଳି ଅଶୋଭନୀୟ ମନ୍ତବ୍ୟ ବିସ୍ମିତ କଲାବେଳେ ଅନେକଙ୍କ ମନ୍ତବ୍ୟ ଯେ ଦେବାଶିଷଙ୍କ ରାଜନୈତିକ ଦୀପ ଲିଭିଆସୁଛି। ତେବେ ଦବଙ୍ଗଗିରୀ କରୁଥିବା ଦେବାଶିଷଙ୍କ ମଦ୍ୟପ ଚରିତ୍ର ଓ ଫାର୍ମ ହାଉସ କାରନାମା ନେଇ ପ୍ରଭାତଙ୍କ ଖୋଲା ବୟାନ ଉପରେ ଲୋକଙ୍କୁ ପ୍ରମାଣିତ କରିବାକୁ ହେବ।ଜଣେ ଚିଟଫଣ୍ଡ ସ୍କାମରଙ୍କ ବିଳାସପୁର୍ଣ୍ଣ ଗାଡି ନେଇ ପ୍ରଭାତ ବିଶ୍ୱାଳ ଏବେ ଯେଉଁ ଅଭିଯୋଗ ଆଣିଲେ ତାହା ସାଙ୍ଘାତିକ। ଦଳରୁ ବିଦାହବା ଆଗରୁ କଥାଟି କହିଥିଲେ ବିଶ୍ୱାଳ ମହାଶୟ ତାଙ୍କ ରାଜ୍ୟସଭା ବିଳାସରେ କଣ୍ଟାହୋଇ ପାରିଥାନ୍ତେ।

ହେଲେ ଦୟା ଦେଖେଇବାର ଫଳ ଭୋଗିବା ଜରୁରୀ ବୋଲି ଅନେକ ମତ ଦିଅନ୍ତି। ନବୀନ ଜାଣି ପାରୁନଥିଲେ କହିବା ଉଦବେଗର ବିଷୟ, ଜାଣି ଚୁପ ରହୁଥିବେ ଯଦି ଅତି ଗମ୍ଭୀର ବିଷୟ। ଏହାକୁ ଆଇନଗତ ପ୍ରମାଣ କରାଯିବା ଆବଶ୍ୟକ। କିନ୍ତୁ ପ୍ରଭାତଙ୍କ ଅନୁପସ୍ଥାନରୁ ଦେବାଶିଷ କଟକରେ ବିଜେଡିକୁ ଦିଶା ଦେଖେଇବେ ଏହା ଅସମ୍ଭବ ଲାଗୁଛି। ନିଜ ପ୍ରୋଫାଇଲରେ ସର୍ବଦା ଗରିବୀ ହଟେଇବା ପାଇଁ ଯୋଜନା ରଖିଥିବା ଦେବାଶିଷ ବାବୁ ନିଜ ସଂସଦୀୟ କ୍ଷେତ୍ରରୁ କେତେ ଗରିବୀ ସଫା କରିଛନ୍ତି ସେ କଥା କଟକବାସୀ ଜାଣିଛନ୍ତି। ହେଲେ ଏହା ସତ୍ୟଯେ ନିର୍ବାଚନୀ ପ୍ରାର୍ଥୀ ଘୋଷଣାପତ୍ରରେ ମାନନୀୟଙ୍କ ଭଣ୍ଡାର ବଢିଛି। ବିଜୟ ମହାପାତ୍ରଙ୍କ ବିବାଦୀୟ ବିଦାୟକୁ ହାତହଲେଇ ବିଦାୟ ବାର୍ତ୍ତାର ଉତ୍ସବ ବନେଇଥିବାଙ୍କ ଭିତରେ ଅନେକ ଯୁବନେତାଙ୍କ। ଏ ସମସ୍ତେ ପ୍ୟାରୀମୋହନ ମହାପାତ୍ରଙ୍କ ଆଜ୍ଞାଧୀନ, ବରିଷ୍ଠଙ୍କ ମୁଣ୍ଡକାଟ ଶିକ୍ଷାରେ ଉପାଧ୍ୟୁତ୍ତର ପ୍ରାପ୍ତ। ୨୦୧୪ ମସିହାରେ ବିଜେଡି ଗଠନର ଦୁଇ ପ୍ରମୁଖ ବିନ୍ଧାଣୀ ପ୍ରଫୁଲ୍ଲ ଘଡେଇଙ୍କ ବହିଷ୍କାର ଓ ୨୦୧୮ ମସିହାରେ ଦାମୋଦର ରାଉତଙ୍କ ବହିଷ୍କାରରୁ ବେଶି ଖୁସିଥିଲେ ନବୀନ ତରୁଣ ନେତାଗଣ। ପ୍ୟାରୀଙ୍କ ସହିଦନଗର କ୍ୟାମ୍ପରେ ଚା’ କପ ଧୋଉଥିବା ତରୁଣ ଏବେ ତାମିଲନାଡୁ ବାବୁ ଭିକେ ପାଣ୍ଡିଆନଙ୍କ ଚାମଚାଗିରୀରୁ ଆଶାତୀତ ଲାଭ ପାଇଲେ। ଓଡ଼ିଆଙ୍କୁ ଇଂରାଜୀରେ ଗାଳି କରୁଥିବା ତାମିଲବାବୁଙ୍କ ଔଦ୍ଧତ ସହିବିନାହିଁ କହି ଜଗତସିଂହପୁରିଆ ନେତା ଦାମ ବାବୁ ତଡା ଖାଇଲାବେଳେ ଆଉ ଜଣେ ଜଗତସିଂହପୁରିଆ ନେତା ଦେବାଶିଷ ସାମନ୍ତରାୟ ଟାଙ୍କ ଟେକି ଡେଇଁଲେ। ବାପାଙ୍କ ସମ୍ପତ୍ତିକୁ ଏକାଥରେ ବହୁଗୁଣିତ କରିଦେଲେ ପଦ ପଦବୀ ପାଇ।ଦ୍ରୁତ ଶିଳ୍ପାୟାନ ଗୁଲିଗପ, ଦୁଇ ଟଙ୍କିଆ ଚାଉଳ ମୁଁ ଦଉଛି କହି ଗାଦିନସିନ ହେବା ସବୁବେଳେ ସମ୍ଭବ ନୁହେଁ। ବିଜେଡି ସଫଳତାର ମାପକାଠି ଜପ-ତପ-ଦାନ କଥା ଯେତିକି ନଥିଲା ଓଡିଶା କଂଗ୍ରେସର ଦୁର୍ବଳ ନେତୃତ୍ୱରୁ ଫାଇଦା ଅଧିକ ଥିଲା। ଗୋଡ଼ଟଣାଙ୍କ ଯୋଗୁ ଅମାନତ ରଖିବାକୁ ଅଯୋଗ୍ୟମାନେ ପ୍ରଦେଶ କଂଗ୍ରେସ ସଭାପତି ହୋଇ ପ୍ରକୃତ ପତିଆରା ଥିବା ନେତାଙ୍କୁ କେନ୍ଦ୍ର ପ୍ରଭାରୀ ଆଗରେ ରାଜ୍ୟ ଅତିଥିଭବନରେ କେବେ କଂଗ୍ରେସ ଭବନରେ ପୁଣି କେବେ ହୋଟେଲକୁ ଡାକି ଭେଟ କରେଇବାକୁ ଡାକି ଧାଡିରେ ଛିଡା କରାଉଥିଲେ। ଟିକଟ ବଣ୍ଟାରେ, ରାହୁଳଙ୍କ ପଦଯାତ୍ରା ଯୋଗ ଦେବାବେଳେ ରାଜନୀତି ସର୍ବୋଚ୍ଚ ସୀମା ଛୁଇଁଲାବେଳେ ବିଜେଡିର ଅର୍ଥନୈତିକ ପ୍ରଗତିର ଡିଣ୍ଡିମ ଆଉ ନିଜ ସ୍ବର୍ଗବାସୀ ପିତାଙ୍କ ସ୍ବପ୍ନ ପୁରଣ କରିବାର କାନ୍ଦଣା ଲୋକଙ୍କ ମନ ଛୁଇଁଲା। ୨୦୦୦ରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଅପ୍ରତ୍ୟାଶିତ ବିଦାୟ ଯୋଗୁ ବରିଷ୍ଠଙ୍କ ଭିତରେ ହତାଶା, ୨୦୦୧ରେ ରାଜନଗର ନିର୍ବାଚନ ମଣ୍ଡଳୀର ଅପ୍ରତିଦ୍ବନ୍ଦୀ ନେତା ନଳିନୀ ମହାପାତ୍ରଙ୍କ କଂଗ୍ରେସ ଗମନ ଆଉ ୨୦୦୨ ମସିହାରେ ଶିଳ୍ପପତି ନେତା ଦିଲ୍ଲୀପ ରାୟଙ୍କ ଅଲବିଦା ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି କଲା ତାହାର ଫାଇଦା ନେଲେ ଦେବାଶିଷଙ୍କ ପରି ଯୁବନେତା। ପାଣ୍ଡିଆନଙ୍କ ରାଜତ୍ୱ ଆଗରେ ଦଳପତିଙ୍କ ପାଖକୁ କେହି ସିଧାଯିବାକୁ ଚାହିଁଲେ ଚମଡା ଛାଲି ହେଇଯାଉଥିଲା। ୨୦୨୪ର ଦୁର୍ଗ ପତନ ସହ ଦଳର ଦୁର୍ଗତି କାରଣ ନେଇ ମୁକ୍ତ ଆଲୋଚନା କରିବାକୁ ଦଳପତିଙ୍କୁ ଆହ୍ୱାନ ଦେଲେ ପ୍ରଭାତ ବିଶ୍ୱାଳଙ୍କ ପରି ନେତା। ନିଜ ଅଞ୍ଚଳରେ ରାଜ୍ୟସଭା ସାଂସଦ ଡୋଲି ଭିତର ମୂଷା କାମ କରୁଥିବା କହିଲେ। କଟକ-ଚୌଦ୍ୱାର ଆସନରେ ସୌଭିକ ବିଶ୍ୱାଳଙ୍କ ଭୋଟ ବିଭାଜନ ଚେଷ୍ଟା କରିଥିବା କଥା ଉଠେଇଲେ। ଦେବାଶିଷ ସାମନ୍ତରାଙ୍କ ପରି ନେତା କେବେ ୱାର୍ଡମେମ୍ବର ପଦବୀଟିଏ ଜିତିବାକୁ ମଧ୍ୟ ସକ୍ଷମ ନୁହଁନ୍ତି କହିଲେ ପ୍ରଭାତ ବିଶ୍ୱାଳ। ଦେବାଶିଷ କାଳେ ଋତୁ ଅନୁସାରେ ଭଲ ରଙ୍ଗ ବଦଳାନ୍ତି ଏକଥା ତାଙ୍କ ପାଖେପାଖେ ଥିବା ଘନିଷ୍ଠ ନେତାଙ୍କ ଆଖିଦେଖା କଥା। ନବୀନଙ୍କ ପାଦରେ ତେଲସେବା ଆଉ ପାଣ୍ଡିଆନଙ୍କ କାନରେ କିଛି ମନଗଢା ଫୁଙ୍କିବାରେ ମାହିର ହୋଇ ଦେବାଶିଷ ଏଥର କଟକର ସର୍ବୋଚ୍ଚ ନେତା ହବାପାଇଁ ମନ ବଳେଇଲେ। ସେ ଚାହାଁନ୍ତି ରାଜ୍ୟସଭା ଗଲାପରେ କଟକ କଲେକ୍ଟର ତାଙ୍କ ପାଦ ସେବା କରନ୍ତୁ, ବିମାନବନ୍ଦରରେ ଫୁଲତୋଡ଼ା ଧରି ଛିଡା ହୁଅନ୍ତୁ ଆଉ ତାଙ୍କ ସାଂସଦ ଅଞ୍ଚଳର ଦପ୍ତରରୁ ଅଧିକାରୀମାନେ ଜନ୍ମଦିନ ଶୁଭେଚ୍ଛା ଠାରୁ ଉପଢୌକନ ନେଇ ହାଜିରା ଦିଅନ୍ତୁ। ଯାହା ଦେବାଶିଷଙ୍କ ଅହଂକାରର ପରିଚୟ। ପୂର୍ବରୁ ଦେବାଶିଷ ଭିତିରିଆ ଗୈରିକ ସମ୍ପର୍କରେ ଥିଲେ। ରାଜ୍ୟସଭା ନଯାଇଥିଲେ ହୁଏତ ସେ ବିଜେପି ସେବା ଦାୟିତ୍ୱରେ ଥାଆନ୍ତେ। ଫାର୍ମ ହାଉସ ଚରିତ୍ର କଥା ରାଜନୀତିରେ ନୂଆ କଥା ନୁହେଁ। ପ୍ରଭାତ ବିଶ୍ୱାଳଙ୍କ ଆରୋପର ସତ୍ୟତା ଥିଲେ ଦେବାଶିଷ ଲୋକଙ୍କ ସାମନାରେ ନୀଳବର୍ଣ୍ଣ ଶୃଗାଳ ହୋଇ ଦଳରେ ବେଶି ଦିନ ତିଷ୍ଠି ପାରିବେନି। ପାରାଦୀପରେ ସମ୍ବିତ ରାଉତରାୟଙ୍କ ସଭା ଭଣ୍ଡୁର ଉଦ୍ୟମ କରିଥିବା ଦେବାଶିଷ ରାଜ୍ୟସଭା ପଦବୀ ପାଇବାର କେଇଘଣ୍ଟା ପରେ ଦଳୀୟ ନେତୃତ୍ୱ ଉପରେ ନିଜର ଅସନ୍ତୋଷ ଝାଡ଼ିଥିଲେ। ଦଳର ଶୀର୍ଷ ନେତୃତ୍ୱରେ ମୂଷା ଥିବା କହିଥିଲେ। କିନ୍ତୁ ସେ ଯେଉଁ ଡୋଲିରେ ପଶିଲେ ଧାନତକ ଖୁଣ୍ଟି ସାରିବାପରେ ଅନ୍ୟଆଡେ ନଜର ପକାନ୍ତି। କଂଗ୍ରେସ ସମୟରେ ବହୁଭାବରେ ବ୍ୟବସାୟିକ ଆର୍ଥିକ ଲାଭ ପାଇ ୯ମ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ପିତା ନିତ୍ୟାନନ୍ଦ ସାମନ୍ତରାୟଙ୍କ ୧୯୯୧ ମସିହା ଓ ୧୯୯୬ ମସିହାରେ ଲଗାତାର ଦୁଇଥର ଚିତପଟାଙ୍ଗ ହେବାରେ ଲୋକଙ୍କ ସହ ସୁସମ୍ପର୍କ ନଥିବା ପ୍ରମାଣିତ କରିଥିଲା ବେଳେ ବାବୁ ଦେବାଶିଷ ୨୦୦୦ ମସିହା ପରେ ବିଜେଡି ପ୍ରବେଶ କଲେ। କିନ୍ତୁ ପରେ ଜଗତସିଂହପୁର ନେତାଙ୍କୁ ଅପମାନିତ କଲେ। ଯୋଉଁଥିପାଇଁ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଅଣଦେଖା କରାଗଲା। କଟକ ଜିଲ୍ଲାପାଳ ତାଙ୍କୁ ସାଂସଦ ପାଇଵାଭଳି ସମ୍ମାନ ଦେଖାଉନଥିବା ଅଭିଯୋଗ ଆଣନ୍ତି ଦେବାଶିଷ। ହେଲେ ସେ ଭୁଲିଯାଆନ୍ତି ଯେ ଜିଲ୍ଲାପାଳଙ୍କର ମଧ୍ୟ ଗୋଟେ ଦାୟିତ୍ୱ ଥାଏ। ଚାକିରୀଟା ଫାର୍ମ ହାଉସ ମଦ ଢ଼ାଳିବା ଲୋକର କାମ ନୁହେଁ।ନନ୍ଦନକାନନ ଦେଖେଇବାକୁ ଆଣି ବାଘ ପାଖକୁ ପେଲିଦେବା ଲୋକ ବିଜେଡିରେ ଅଧିକ। ଓଡିଶାର ସ୍ୱରକୁ ଶାଣିତ କରୁଥିବା କେଇଜଣ ନେତାଙ୍କ ଭିତରେ ନବ ଦାସ ଥିଲେ ଅନ୍ୟତମ। ତାଙ୍କ ଦ୍ୱାରା ବହୁଭାବରେ ଉପକୃତ ହେବାରୁ ବିଜେଡି ଫାଟକ ଖୋଲି ଦିଆଗଲା। ହେଲେ ସ୍ୱାଗତ କରାଗଲା ଗୁଳିରେ। ଚର୍ଚ୍ଚା ହୁଏ ଗୁଳିମାଡ଼ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଥିଲା। ଗୋପାଳଙ୍କୁ ମିଛଧରା ଯନ୍ତ୍ର ଆଗରେ ନବସାଇ ତତ୍କାଳୀନ ଦୁଇ କାର୍ଯ୍ୟକର୍ତ୍ତାଙ୍କୁ ବସେଇଲେ ସତ ବାହାରନ୍ତା। ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ଗୃହନିର୍ମାଣ ନିଗମ ଅଧକ୍ଷ ଆସନଟିଏ ପାଇଁ ସିଂହରୁ ଛେଳି ହବାକୁ ପସନ୍ଦ କଲେ। ସମୟ ସରିଲା, ହାଣକୁ ଯିବା ଆଗରୁ ସତ ଓଗାଳିଲେ- “ସବୁ ବରିଷ୍ଠ ନେତାମାନେ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ” କହିଦେଲେ। ହେଲେ ସବୁ ଶୁଣି ନବୀନ ଚୁପ। ୧୪ଶ ଶତାବ୍ଦୀର କରଣୀମାତା ମନ୍ଦିରରେ ହିନ୍ଦୁ ଭକ୍ତମାନେ ମୂଷାକୁ ଶୁଭ ମାନନ୍ତି। ଶୁଭ ମୂଷାଙ୍କୁ ବାହାନକରି ଦଳପତି ବ୍ରହ୍ମାଣ୍ଡ ପରିକ୍ରମା କରନ୍ତୁ। ମୂଷାରୁ ପଡି ଦାଣ୍ଡରେ ଗଡ଼ିଲେ କେହି ମୁଖିଆଙ୍କୁ ଶ୍ରୀ ଗଣେଶ ବୋଲି କହିବେ ନାହିଁ।———ସାରଦା କର

Leave a Reply

Your email address will not be published. Required fields are marked *

error: Content is protected !!