ଦେଶ-ବିଦେଶ

ମାୟାନଗରୀର ରାସ୍ତା ପାଲଟିଲା ନଈ, ଗାତଖାଲରେ ପଡ଼ି ଫସିଲା ଗାଡ଼ି

Spread the love

ମୁମ୍ବାଇ: ପୁଣି ବର୍ଷାରେ ବେହାଲ ହେଲା ଦେଶର ବାଣିଜ୍ୟ ରାଜଧାନୀ କୁହାଯାଉଥିବା ମାୟାନଗରୀ ମୁମ୍ବାଇ । ଶୁକ୍ରବାର ପ୍ରବଳ ବର୍ଷାରେ ମୁମ୍ବାଇର ସ୍ଥିତି ସଙ୍ଗୀନ ହୋଇଛି । ମୁମ୍ବାଇର କିଛି ସ୍ଥାନରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ସହରର ଅନେକ ସ୍ଥାନ ଜଳବନ୍ଦୀ ହୋଇଛି ।ଗାଡ଼ି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଛିଡା ହେବା ଫଳରେ ରାସ୍ତାରେ ଅଟକିଯାଇଛି ଗାଡ଼ି । ପାଣି ପଶି ଗାଡି ଷ୍ଟାର୍ଟ ବନ୍ଦ ହୋଇଯାଇଛି । ଏବଂ ବର୍ଷା ଫଳରେ ରାସ୍ତାରେ ହୋଇଥିବା ଗାତ ଖାଲରେ ପଡି ଅନେକ ବାଇକ୍ ଚାଳକ ଗାଡ଼ିରୁ ପଡି ଯାଇଥିବା ଦେଖିବାକୁ ମିଳିଛି । ଟ୍ରାକରେ ପାଣି ଜମିବା ଫଳରେ ଟ୍ରେନ୍ ସେବା ମଧ୍ୟ ମନ୍ଥର ହୋଇଛି । ସହରର ଅନେକ ମୁଖ୍ୟ ରାସ୍ତାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଗାତ ଖାଲ ସାଧାରଣ ଜୀବନକୁ ପ୍ରଭାବିତ କରିଛି । ସହରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିଛି । ବର୍ଷା ସତ୍ବେ ତଥାପି ଲୋକମାନେ ମେରାଇନ ଡ୍ରାଇଭରେ ବୁଲୁଥିବା ଦେଖିବାକୁ ମିଳିଛି । ମୌସୁମୀ ପ୍ରଭାବରେ ଆକାଶ ମେଘାଛନ୍ନ ଥିବାରୁ ମେଘରେ ଘୋଡ଼ାଇ ହୋଇ ରହିଥିବା ଆକାଶର ଫଟୋ ଉଠାଇବାକୁ ଲୋକଙ୍କ ଭିଡ ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା ।ସେପଟେ ମୁମ୍ବାଇକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଥିବା ବେଳେ ରାସ୍ତାର ଅବସ୍ଥା ଭଲ ନଥିବାରୁ, ଖାଲଖମାରେ ଭର୍ତ୍ତି ଥିବାରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ପରାମର୍ଶ ଜାରି କରିଥିଲା । ମୁମ୍ବାଇ ପାଇଁ ଆଗାମୀ ଦୁଇ ଦିନ ପ୍ରବଳ ବର୍ଷାର ଆଲର୍ଟ ଜାରି କରାଯାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପୋଲିସ ପରାମର୍ଶ ଦେଇଥିଲା । ଏକ ଟୁଇଟ୍ କରି ପୋଲିସ ଲୋକଙ୍କୁ ବର୍ଷା ବେଳେ ଘରେ ରହିବାକୁ ପରାମର୍ଶ ଦେଇଥିଲା । ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ କହିଥିଲା । ଏଥିସହ ସମୁଦ୍ର କୂଳ ଅଞ୍ଚଳ ବୁଲାବୁଲି ନକରିବା ପାଇଁ ବି ପରାମର୍ଶ ଜାରି କରାଯାଇଥିଲା ହେଲେ ପୋଲିସର ପରାମର୍ଶ ନମାନି କିଛି ଲୋକେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

error: Content is protected !!