ସଂଗୀତ ଦୁନିଆର ଉଦିୟମାନ କଣ୍ଠଶିଳ୍ପୀ ସତ୍ୟବ୍ରତ”
ସଙ୍ଗୀତ କେବଳ ସୁର ଓ ତାଳ ନୁହେଁ, ଏହା ହେଉଛି ଜୀବନର ଏକ ସ୍ଵର — ଯେଉଁଥିରେ ହୃଦୟ ଓ ସ୍ବପ୍ନ ଏକାତ୍ମ ଭାବରେ ପରିପୂର୍ଣ୍ଣ ହୁଏ। ଏମିତି ଏକ ହୃଦୟସ୍ପର୍ଶୀ ସ୍ଵର ହେଉଛନ୍ତି ସତ୍ୟବ୍ରତ ଜେନା, ଯିଏ ଓଡ଼ିଆ ସଙ୍ଗୀତ ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
୨୦୦୪ ମସିହା ନଭେମ୍ବର ୧୭ରେ ବାଲେଶ୍ଵର ଜିଲ୍ଲାର ବସ୍ତା ବ୍ଲକ୍ ଅନ୍ତର୍ଗତ କୁଡିଆ ଗ୍ରାମର ସାଧାରଣ ପରିବାରରେ ଜନ୍ମିତ ସତ୍ୟବ୍ରତଙ୍କ ଜୀବନ ଯାତ୍ରା ଆରମ୍ଭ ହୋଇଥିଲା ଏକ ଛୋଟ ଗାଁରୁ, କିନ୍ତୁ ସେହି ଗାଁ ଠାରେ ରହିଥିଲା ଅସାଧାରଣ ସ୍ଵପ୍ନ।
ଜେଜେବାପାଙ୍କ ସହ ସଙ୍ଗୀତ ଶିଖିବା ଓ ପିତା ଗଣେଶ୍ଵର ଜେନା ଓ ମାତା କାଞ୍ଚନ ଜେନାଙ୍କ ସନ୍ତୋଷ ମନରେ ସତ୍ୟବ୍ରତଙ୍କ ସଙ୍ଗୀତ ପ୍ରତି ଅସୀମ ଭକ୍ତି ଭାବନା ଦେଖି ଏକ ଅସାଧାରଣ ପ୍ରତିଭାର ବିକାଶକୁ ଅନୁଭବ କରିପାରିଥିଲେ ।
ପାଞ୍ଚ ବର୍ଷ ବୟସରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ, ଭଜନ ଓ ଆଧୁନିକ ସଙ୍ଗୀତରେ ଶିକ୍ଷାଲାଭ ଆରମ୍ଭ କରିଥିବା ସତ୍ୟବ୍ରତ, ନୀଳଗିରିରେ ଥିବା କଳା ବିକାଶ କେନ୍ଦ୍ରରେ ଗୁରୁ ଗୌରହରି ଜେନାଙ୍କ ନିକଟରେ ନିଜ ସଙ୍ଗୀତ ଜୀବନର ପ୍ରଥମ ପାଠ ଶିଖିଥିଲେ। ପରେ, ପ୍ରାଚୀନ କଳା କେନ୍ଦ୍ର କୁରୁକ୍ଷେତ୍ର ବିଶ୍ଵବିଦ୍ୟାଳୟ ଚଣ୍ଡୀଗଡ଼ରୁ ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ବିଶାରଦ ଉପାଧି ଲାଭ କରିଥିଲେ।
ବର୍ତ୍ତମାନ ସେ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ଵରରେ ସଙ୍ଗୀତ ବିଭାଗର ତୃତୀୟ ବର୍ଷର ସ୍ନାତକ ଛାତ୍ର ଭାବେ ଅଧ୍ୟୟନରତ।
ତାଙ୍କ ସ୍ଵପ୍ନ — “ସମଗ୍ର ବିଶ୍ଵରେ ନିଜ ସ୍ଵର ମାଧ୍ୟମରେ ମଣିଷମାନଙ୍କ ହୃଦୟରେ ଅମର ସ୍ଥାନ ସୃଷ୍ଟି କରିବା।”
ସତ୍ୟବ୍ରତଙ୍କ ସଙ୍ଗୀତ ଯାତ୍ରା ଏକ ପ୍ରେରଣାର କାହାଣୀ।
୨୦୧୮ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଠାରୁ “ମୁଁ ହିରୋ ମୁଁ ଓଡ଼ିଶା” ବିଜେତା ପୁରସ୍କାର,
୨୦୨୦ ରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଠାରୁ “ରାଜ୍ୟପାଳ ସ୍କାଉଟ୍ ପୁରସ୍କାର”, ୨୦୨୨ରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ଠାରୁ ସୁଲଗ୍ନା ଶିକ୍ଷା ସଂସ୍ଥା ପୁରସ୍କାର, ୨୦୨୩ରେ ସିଦ୍ଧାର୍ଥ ଭକ୍ତି ଟିଭି ଚ୍ୟାନେଲର “ଭକ୍ତି ଆଖଡ଼ା” ରିୟାଲିଟି ସୋ ରେ ପ୍ରଥମ ସ୍ଥାନ ଅଧିକାର କରି ନମିତା ଅଗ୍ରୱାଲଙ୍କ ହାତରୁ ଟ୍ରଫି ଓ ପ୍ରମାଣପତ୍ର ଲାଭ କରିଥିଲେ।
ସେ ପ୍ରାର୍ଥନା ଟିଭିର “ପ୍ରାର୍ଥନା ପ୍ରତିଭା”, “ପ୍ରଥମ ସ୍ବର”, , ଡିଡି ଓଡ଼ିଆ ଦୂରଦର୍ଶନ ଟିଭି ଚ୍ୟାନେଲ ପ୍ରସାରିତ”ଆମରି ଗୀତ ଆମରି ସ୍ଵର”, ତରଙ୍ଗ ଟିଭି “ଭଏସ୍ ଅଫ୍ ଓଡ଼ିଶା” ଏବଂ ସିଦ୍ଧାର୍ଥ ଟିଭିର “ଓଡ଼ିଶାର ନୂଆ ସ୍ଵର” ଭଳି ବିଭିନ୍ନ ରିଆଲିଟି ଶୋ’ରେ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ନିଜ ସ୍ଵରର ମାୟା ଯାଦୁ ଦେଖାଇ ସାରିଛନ୍ତି ।
୨୦୨୪ ରେ କେନ୍ଦ୍ର ସରକାରଙ୍କ ଠାରୁ ଜାତୀୟ ଶ୍ରେଷ୍ଠ କଣ୍ଠଶିଳ୍ପୀ ସମ୍ମାନ,
ଏବଂ ୨୦୨୫ ରେ ବାଣୀପୀଠ ସାରସ୍ଵତ କଳାକାର ସମ୍ମାନ ସହିତ ସମୟର ଚକ୍ର ଶ୍ରେଷ୍ଠ କଣ୍ଠଶିଳ୍ପୀ ସମ୍ମାନ ମଧ୍ୟ ଲାଭ କରିଛନ୍ତି।
ସତ୍ୟବ୍ରତ ଜେନା କେବଳ ଜଣେ ଗାୟକ ନୁହଁନ୍ତି, ସେ ଏକ ସାଧକ, ଯାହାଙ୍କ ସଙ୍ଗୀତ ମାନବତା, ଶାନ୍ତି ଓ ଭକ୍ତିର ସନ୍ଦେଶ ଦେଇଥାଏ । ମାନବ ସେବା ହିଁ ମାଧବ ସେବାକୁ ପାଥେୟ କରି ସେ ଅନେକ ସମାଜ ସେବା ଯେପରିକି ପୁରୀ ରଥଯାତ୍ରା ସମୟରେ ଜଳ ସରବତ ବିତରଣ, ଲିଙ୍ଗରାଜ ମନ୍ଦିରରେ ପ୍ରଚଣ୍ଡ ରୌଦ୍ରତାପରୁ ଭକ୍ତମାନଙ୍କୁ ରକ୍ଷାକରିବା ପାଇଁ ଭକ୍ତଙ୍କ ଉପରେ ଜଳ ସିଞ୍ଚନ, ଗରିବ ଦୁଃଖୀମାନଙ୍କୁ ଖାଦ୍ୟ ଓ ବସ୍ତ୍ର ବିତରଣ, ବୃକ୍ଷ ରୋପଣ, ରକ୍ତ ଦାନ ଭଳି ମହାନ୍ ପୁଣ୍ୟ କାର୍ଯ୍ୟ କରିବାରେ ସେ ସଦାସର୍ବଦା ଲାଗି ରହିଥାନ୍ତି। ତାଙ୍କ ଜୀବନର ଲକ୍ଷ୍ୟ କେବଳ ଖ୍ୟାତି ଅର୍ଜନ କରିବା ନୁହେଁ — ସେ ଚାହୁଁଛନ୍ତି ନିଜ ଭବିଷ୍ୟତ ଦିନ ମାନଙ୍କ ରେ ସଙ୍ଗୀତ ଜଗତରେ ଜଣେ ପ୍ରଫେସର, ଏକ ପ୍ଲେବ୍ୟାକ୍ ସିଙ୍ଗର ଭାବେ ସମଗ୍ର ବିଶ୍ଵରେ ଓଡ଼ିଆ ସଂସ୍କୃତି ଓ ଭାବନାକୁ ପ୍ରଚାର କରିବେ ଓ ଅନେକ ଯୁବ ପ୍ରତିଭା ଙ୍କୁ ପ୍ରଶିକ୍ଷିତ କରିବେ ଏବଂ ସମସ୍ତ ବିଶ୍ୱବାସୀଙ୍କ ହୃଦୟରେ ସ୍ମୃତି ରୂପକ ଘର କରି ମୃତ୍ୟୁ ପରେ ବି ଅମର ହୋଇ ରହିବେ
ତାଙ୍କ ସୁମଧୁର କଣ୍ଠରୁ ଆସିଥିବା ଲୋକପ୍ରିୟ ଗୀତଗୁଡିକ ହେଉଛି “ମଣିମା”, “ସେ ରଥରେ ଆସେ ମୋ ଜଗନ୍ନାଥ”, “ଚନ୍ଦ୍ରିକା”, “ହେ କଳା ମାଧବ”, “ସତ ଜଗନ୍ନାଥ”, “କାଉଡ଼ିଆ ମାଡି ଚାଲ”, ଚାଲ ଯିବା ବୈଷ୍ଣୋଧାମ”, “ରାଧାର ରାଣ ତୋତେ ମୀରାର ରାଣ”, “ତୁ କେମିତିକା ନାଥ ହେ ଜଗନ୍ନାଥ”, “ମା ଗାଦି ଦୂର୍ଗା”, ରାକ୍ଷୀ ବାନ୍ଧିଦେବି ହାତ ଦେ ବଢେଇ”, “ପ୍ରିୟା ତୋ ବିନାରେ”, “ତୁମ ନାମ ପ୍ରେମେ ମନ ଦେଇଛି ବୋଲି”, “ଭଜମନ ଗୁରୁ ଚରଣ”, “ଗଛକୁ କାଟିଲେ କାଠ, କାଠକୁ ଖୁଣ୍ଟିଲେ ରଥ” ଇତ୍ୟାଦି ବେଶ୍ ଜଣାଶୁଣା ଏବଂ ଘରେ ଘରେ ପରିଚିତ ଲୋକପ୍ରିୟ ଗୀତ ।
ସେ ଜଣେ ଉତ୍ତମ ମଣିଷ ହେବା ସହ ସମସ୍ତେଙ୍କ ପ୍ରତି ଶ୍ରଦ୍ଧା, ସ୍ନେହ, ଭଲପାଇବା ରଖିବା, ସମାଜସେବା କରିବା, ଦାରିଦ୍ର୍ୟ ନିବାରଣ ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା କୁ ଜୀବନର ଦୃଢ଼ ଶପଥ ମନେ କରନ୍ତି l “ସୁର ମୋର ପ୍ରାଣ, ଭକ୍ତି ମୋର ନିଃଶ୍ଵାସ, ଏବଂ ସମାଜ ସେବା ମୋର ଧର୍ମ” ବୋଲି ସେ କୁହନ୍ତି l
ସେହି ସ୍ଵର ଯାହା ଓଡ଼ିଶାର ମାଟିରୁ ଜନ୍ମିଛି, ଆଜି ମଣିଷମାନଙ୍କ ହୃଦୟରେ ଗୁଞ୍ଜରଣ ସୃଷ୍ଟି କରୁଛି ତଥା ଶ୍ରୋତା ମଣ୍ଡଳୀଙ୍କୁ ପ୍ରେମ ଭକ୍ତି ଓ ଆଧୁନିକତାର ରସରେ ବାନ୍ଧି ରଖିପାରିଛି — ସତ୍ୟବ୍ରତ ଜେନା — ଏକ ନୂଆ ସ୍ଵର, ଯେଉଁଥିରେ ରହିଛି ଓଡ଼ିଆ ସଂଗୀତର ଆଗାମୀ ଭବିଷ୍ୟତ।
